ଆନମନା ଡ୍ରାଇଭର ଭୁଲିଗଲେ ଷ୍ଟେସନ, ୩ କିଲୋମିଟର ଆ‌ଗକୁ ଗଡ଼ିଲା

ରାଉରକେଲା: ଆନମନା ଟ୍ରେନ ଡ୍ରାଇଭର ଭୁଲିଗଲେ ରହଣି ଷ୍ଟେସନ। ଷ୍ଟେସନ ଠାରୁ ୩ କିଲୋମିଟର ଗଡିଗଲା ଟ୍ରେନ୍‌। ସେ ସିଗ୍‌ନାଲ୍ ଦେଖି ପାରିଲେନି ନା କୋଉକଥା ଭାବି ଅନ୍ୟମନସ୍କ ହୋଇ ଯାଇଥିଲେ ଅଥବା ତାଙ୍କ ଆଖି ଲାଗି ଯାଇଥିଲା, ଜଣାନାହିଁ। ତେବେ ୩ କିଲୋମିଟର୍ ପରେ ଚେତା ପଶିଲା ତାଙ୍କର ଏବଂ ଟ୍ରେନ୍ ସେଇଠି ଅଟକିଲା। ଗତକାଲି ଏମିତି ଘଟଣା ରାଉରକେଲା ଉପକଣ୍ଠରେ ଥିବା ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଘଟିଛି। ବରସୁଆଁ-ବୀରମିତ୍ରପୁର ‌ପାସେଞ୍ଜର ଟ୍ରେନ ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ବନ୍ଧମୁଣ୍ଡା ଷ୍ଟେସନରେ ପହଞ୍ଚିବାର ଥିଲା। ଟ୍ରେନ୍‌ଟି ଷ୍ଟେସନରେ ନ ରହି ତିନି କିଲୋମିଟର ଦୂର କେ.କେବିନ୍‌ ନିକଟରେ ଯାଇ ଅଟକିଥିଲା। ଖବର ପାଇ ଅପରେଟିଂ ଅଧିକାରୀ ଓ ସହକାରୀ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତ୍ରୁଟି ପୂର୍ଣ୍ଣ ସିଗ୍‌ନାଲ ନା ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ସେ ସମ୍ପର୍କରେ ସେମାନେ ତଦନ୍ତ କରୁଛନ୍ତି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ। ପ୍ରତିଦିନ ପରି ଗତକାଲି ବୀରମିତ୍ରପୁର- ବରସୁଆଁ ପାସେଞ୍ଜର ଟ୍ରେନରେ ବନ୍ଧମୁଣ୍ଡା ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ରେଳ କର୍ମଚାରୀ ଓ ଶ୍ରମିକ ଫେରୁଥିଲେ। ଟ୍ରେନ୍‌ଟି ଷ୍ଟେସନ ନ ରହି ଆଗକୁ ଦ୍ରୁତ ବେଗରେ ଗଡୁଥିବା ଦେଖି ବସିଥିବା ଯାତ୍ରୀମାନେ ଭୟରେ ପାଟି କରିଥିଲେ। ‌ଯାତ୍ରୀଙ୍କ ପାଟି ଶୁଣିବା ପରେ ଡ୍ରାଇଭର ଟ୍ରେନଟିକୁ ଅଟକାଇବା ପୂର୍ବରୁ ବନ୍ଧମୁଣ୍ଡା ଷ୍ଟେସନ ଠାରୁ ୩ କିଲୋମିଟର ରାଉରକେଲା ଆଡକୁ ଚାଲିଯାଇଥିଲା। ଟ୍ରେନ ଡ୍ରାଇଭର୍‌ଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପ୍ରକାଶଥାଉକି, ଗତ ଏପ୍ରିଲ ୭ ତାରିଖ ରାତିରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ ବିନା ଇଂଜିନ୍‌ରେ ୧୫ କିମି ଚାଲିଯିବା ଘଟଣା ଦେଶରେ ଆଲୋଡନ ସୃ‌ଷ୍ଟି କରିଥିଲା। ସେହିପରି ଅ‌େକ୍ଟାବର ୪ ଦିନ ୨.୧୦ରେ ଫାଲକନାମା ଏକ୍ସପ୍ରେସ ସିକନ୍ଦରାବାଦରୁ ହାୱଡା ଯାଉଥିଲାବେଳେ ଟାଙ୍ଗୀର ବଇଚୁଆଠାରେ ଗୋଟିଏ ବଗି ଲାଇନ୍‌ରୁ ବାହାରି ଅଧ କିଲୋମିଟର ଯାଇଥିଲା।

ସମ୍ବନ୍ଧିତ ଖବର