“ଗଣମାଧ୍ୟମର ଅନେକ କ୍ଷମତା ରହିଛି, ଏହାର  ଅପବ୍ୟବହାର ଏକ ଅପରାଧ”, ଓଟିଭି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ୱର : ଓଟିଭି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେ ଗଣମାଧ୍ୟମର କ୍ଷମତାର ଅପବ୍ୟବହାର ଏକ ଅପରାଧ ।

“ବାପୁଙ୍କ ଉକ୍ତିର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହାର ଅନେକ କ୍ଷମତା ରହିଛି, କିନ୍ତୁ ଏହି କ୍ଷମତାର ଅପବ୍ୟବହାର ଏକ ଅପରାଧ” ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରିଛନ୍ତି । ଏହା ଟ୍ଵିଟ୍‌ କରିବା ସହ ଓଟିଭି ବିରୋଧରେ ବିଜେଡ଼ି ତରଫରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ କରାଯାଇଥିବା ଅଭିଯୋଗପତ୍ରର ଏକ ନକଲ ସେ ଅପଲୋଡ କରିଛନ୍ତି ।

 

ଏହି ଅଭିଯୋଗ ପତ୍ରରେ ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ ଦଳରୁ ନିଳମ୍ବିତ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ବିଜେଡ଼ି ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଗତ କିଛି ଦିନ ଧରି ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣ କରିଚାଲିଛି । ବିଜେପୁର ଉପ-ନିର୍ବାଚନ ସଂପର୍କରେ ଏହି ଚ୍ୟାନେଲରେ ଏକପାଖିଆ, ପକ୍ଷପାତମୂଳକ ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ସୁହାଇଲା ଭଳି ଖବର, ଆଲୋଚନା, ଜନମଞ୍ଚ ଆଦି ପ୍ରସାରଣ କରୁଛି । ଅତ୍ୟନ୍ତ ପକ୍ଷତପାଭାବେ ଏହା ଜଣେ ପ୍ରାର୍ଥିଙ୍କୁ ସମର୍ଥନ କରୁଥିବାରୁ ଏହା ପେଡ୍‌ ନ୍ୟୁଜ୍‌ର ପର୍ଯ୍ୟାୟଭୁକ୍ତ ହେଉଛି ।

ଭାରତୀୟ ନିର୍ବାଚନ ଆୟୋଗ ପ୍ରତି ପ୍ରାର୍ଥୀଙ୍କ ପାଇଁ ବ୍ୟୟ ସୀମା ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହି ପ୍ରକାରର ପେଡ୍‌ ନ୍ୟୁଜ୍‌ ଅପର ପ୍ରାର୍ଥୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ଏଣୁ ନିର୍ବାଚନ କମିଶନଙ୍କ ରାଜ୍ୟ ସ୍ତରୀୟ ମିଡିଆ ମନିଟରିଂ ସେଲ ଓଟିଭିରେ ପ୍ରସାରିତ ଖବର ଓ କାର୍ଯ୍ୟକ୍ରମଗୁଡିକର ତଦାରଖ କରିବାକୁ ଏଥିରେ ଅନୁରୋଧ କରାଯାଇଛି ।

 

ସମ୍ବନ୍ଧିତ ଖବର