ମାନସିକ ପୂରଣ ହୋଇଥିବା ଯୋଗୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଲେ  ମିଥୁନ ଚକ୍ରବର୍ତ୍ତୀ

ପୁରୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ନିଜର ମାନସିକ ପୂରଣ ହୋଇଥିବା ହେତୁ ସେ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଜଣାଯାଇଛି। ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।

ଶ୍ରୀଜିଉଙ୍କ ଦର୍ଶନ ବେଳେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ଥିଲେ। ମିଥୁନ ଚକ୍ରବର୍ତ୍ତୀ ପ୍ରଥମେ ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ପ୍ରଣାମ କରିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଅବକାଶ ନୀତି ଦର୍ଶନ କରିବା ସହ ବେହରଣ ଦ୍ୱାର ଦେଇ ବାହାରକୁ ଆସିଥିଲେ।

ଏହାପରେ ମିଥୁନ୍ ଦା’ ମାଆ ବିମଳା ଦେବୀ, ସରସ୍ୱତୀ ଓ ପରେ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ସେ ଆନନ୍ଦ ବଜାର ବି ବୁଲି ଦେଖିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।ଆଜି ଅପରାହ୍ନରେ ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ବ୍ରାହ୍ମଣ ଭୋଜନ କରାଇବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର