ମନ୍ତ୍ରୀଙ୍କ ତଥ୍ୟକୁ କାଟିଲେ ସରକାରୀ ବିଧାୟକ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧୀନ ଡୁମ୍‌ଡୁମା ହାଉସିଂ ବୋର୍ଡରେ ସ୍ୱିରେଜ୍‌ ଲାଇନ ଚାଲୁ ହେବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦେଇଥିବା ତଥ୍ୟକୁ ସରକାରୀ ବିଧାୟକ କାଟିବା ନେଇ ଆଜି ବିଧାନସଭାରେ ଏକ ରୋଚକ ପରିସ୍ଥିତି ଉପୁଜିଥିଲା। ତେବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ଆଶ୍ୱସ୍ତ କରିବାକୁ କହିଥିଲେ ଯେ ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ। କାର୍ଯ୍ୟ ହେଲେ ସମସ୍ୟାର ସମାଧାନ ହେବ। ଆଜି ଅପରାହ୍ଣରେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଜରିଆରେ ଡୁମ୍‌ଡୁମା ହାଉସିଂ ବୋର୍ଡରେ ସ୍ୱିରେଜ୍‌ ସମସ୍ୟା ଉପସ୍ଥାପିତ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଡୁମ୍‌ଡୁମା ହାଉସିଂ ବୋର୍ଡ ୫ଟି ଫେଜ୍‌ରେ ବିଭକ୍ତ। ଏଥିମଧ୍ୟରୁ ୪ଟି(ଫେଜ୍‌-୨,୩,୪,୫)ରେ ସ୍ୱିରେଜ୍‌ ଲାଇନ ବିଛା କାମ ସରିଛି। ଫେଜ୍‌-୧ର ୪.୩୦ କି.ମି. ପାଇପ ବିଛା କାମ ମଧ୍ୟରୁ ୩ କି.ମି.ର କାମ ସଂପୂର୍ଣ୍ଣ ହୋଇଛି। ଏ ସମସ୍ତ କାମ ଡୁମ୍‌ଡୁମା ସ୍ୱିରେଜ୍‌ ଜିଲ୍ଲା-୩ ଅନ୍ତର୍ଗତ। ବର୍ତମାନ ଭୁବନେଶ୍ୱର ସିେଓ୍ଵରେଜ୍‌ ଜିଲ୍ଲା-୩ର ବାକି ଥିବା ସିେଓ୍ଵର ପାଇପ ବିଛା ୯୭.୮୨ କି.ମି., ୯ଟି ପମ୍ପିଂ ଷ୍ଟେସନ ଏବଂ ୪୩.୫ ଏମ୍‌ଏଲ୍‌ଡି (ଦୈନିକ ନିୟୁତ ଲିଟର) କ୍ଷମତା ବିଶିଷ୍ଟ ବର୍ଜ୍ୟ ଜଳ ବିଶୋଧନାଗାର(ଏସ୍‌ଟିପି) ନିର୍ମାଣ ପାଇଁ ଯୁଗ୍ମ ଉଦ୍ୟୋଗରେ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଏବଂ ମେସର୍ସ ଏସ୍‌ଏସ୍‌ଜି ପ୍ରାଇଭେଟ୍‌ ଲିମିଟେଡ୍‌କୁ ଗତ ଜୁଲାଇ ୨୭ ତାରିଖରେ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷ ଭିତରେ ଏହାର କାମ ସଂପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

ଏ ନେଇ ବରିଷ୍ଠ ବିଜେଡି ବିଧାୟକ ଡା. ପଟ୍ଟନାୟକ କହିଲେ ଯେ ୨୦୧୨ରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ୨,୩,୪,୫ ଫେଜ୍‌ରେ ପାଇପ ଲାଇନ ବିଛାସରିଛି। ୨୦୧୫ ମାର୍ଚ ବେଳକୁ ନିର୍ମାଣ କାର୍ଯ୍ୟ ସରିବ। ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି। ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ମନ୍ତ୍ରୀ କହୁଛନ୍ତି ଆହୁରି ୩ ବର୍ଷ ଲାଗିବ। ସ୍ୱିରେଜ୍‌ ଲାଇନ ନ ଥିବାରୁ ଲୋକେ ପାଇଖାନା ପାଣି ରାସ୍ତାରେ ଛାଡ଼ୁଛନ୍ତିି। ଫଳରେ କାମଳ, ଝାଡ଼ାବାନ୍ତି, ଟାଇଫଏଡ୍‌ ଆଦି ରୋଗ ହେଉଥିବା ଦର୍ଶାଇ ବାସିନ୍ଦାମାନଙ୍କର ଦୁଃଖ ବର୍ଣ୍ଣନା କରିଥିଲେ ଶ୍ରୀ ପଟ୍ଟନାୟକ। ଏହାର ଜବାବରେ ମନ୍ତ୍ରୀ ଭୁବନେଶ୍ୱର ନଗରର ପୃଷ୍ଠଭୂମି ସହିତ ସ୍ୱିରେଜ୍‌ର ଆବଶ୍ୟକତା ସଂପର୍କରେ ଆଲୋକପାତ କରି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଦୃଢ଼ୋକ୍ତି କରିଥିଲେ।

ସମ୍ବନ୍ଧିତ ଖବର