ହାତ ମିଳାଇଲେ ନବ-କିଶୋର : ରୁଦ୍ଧ କୋଠରିରେ ୪ ଘଣ୍ଟା ଟ୍ୟୁସନ

ଝାରସୁଗୁଡ଼ାରେ ସଞ୍ଜୟ-ପ୍ରଣବ, ‘ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ମାନିବାକୁ ପଡ଼ିବ’

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଉଥିବା ପରିପ୍ରେକ୍ଷୀରେ ବିଜେଡି କର୍ମୀ ମହଲରେ ରହିଥିବା ସଂଶୟ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କିଶୋର ସମର୍ଥକଙ୍କୁ ବୁଝାଇବାକୁ ଗୁରୁବାର ବିଜେଡି ରାଜ୍ୟ ସାଧାରଣ ସଂପାଦକ ସଞ୍ଜୟଦାସ ବର୍ମା ଓ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡ଼ା ଆସି ଏକ ହୋଟେଲରେ ଦୀର୍ଘ ୪ ଘଣ୍ଟା ଧରି ବୁଝାଇଛନ୍ତି।

ଏହି ଗୋପନ ବୈଠକରେ କିଶୋର ମହାନ୍ତିଙ୍କ ସମେତ ଅନୁପ ସାଏ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟ ଚୌଧୁରୀ, ମାତାଦିନ ମୁନ୍ଦ୍ରା, ରବି ସିଂହ, ଟିକେଶ୍ବର ସେନାପତି, ସବୁ ବ୍ଲକ ସଭାପତି, ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁ, ସନ୍ଦୀପ ଅଗସ୍ତି, ଗଙ୍ଗାଧର ଗଡ଼ନାୟକ, ତ୍ରିନାଥ ଗୁଆଲ, ମନୋରଂଜନ ଦାଶ, କୁଳମଣି ଦାସ, ସୁକାନ୍ତି ଜୟପୁରିଆ, ଜୟନ୍ତ ଦୀକ୍ଷିତ ପ୍ରମୁଖଙ୍କ ସହ ଶତାଧିକ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। କର୍ମୀମାନେ କିଶୋର ମହାନ୍ତିଙ୍କ ସମ୍ମାନରେ ଆଞ୍ଚ ଆସିବା ଭଳିଆ ପଦକ୍ଷେପ ନନେବା ପାଇଁ ଅନୁରୋଧ କରିଥିଲେ। ଝାରସୁଗୁଡ଼ାରେ ବିଜେଡି ଟିକେଟ କାହାକୁ ଦିଆଯିବ, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଯେହେତୁ ଏହି ନିଷ୍ପତ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ତେଣୁ ଏହାକୁ ସମସ୍ତ କର୍ମୀ ଗ୍ରହଣ କରିବାକୁ ଶ୍ରୀ ଦାସବର୍ମା ଓ ଶ୍ରୀ ଦାସ ଅନୁରୋଧ କରିଥିଲେ। ସେମାନେ କର୍ମୀଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ, ଆଗାମୀ ନିର୍ବାଚନରେ ବିଜେପି ପକ୍ଷରୁ ତୀବ୍ର ଆକ୍ରମଣ ହେବାର ସୂଚନା ମିଳୁଥିବାରୁ ବିଜେଡି ଏଥିପାଇଁ ସଜାଗ ରହିଛି। ବିଜେଡିର କିଏ କେଉଁଠି ଟିକେଟ ପାଇବ ତାହା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। କେବଳ ଗୋଟିଏ ଆସନ ହିଞ୍ଜିଳି ବ୍ୟତୀତ ଆଉ କୌଣସି ଆସନ ପାଇଁ ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ହୋଇ ନଥିବା ଏହି ନେତା ମାନେ କହିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ବୈଠକ ସ୍ଥଳରେ ନବ ଦାସ ପହଞ୍ଚିଥିଲେ। ୧୫ ମିନିଟ ପରେ ପୁଣି ଚାଲି ଯାଇଥିଲେ। ବୈଠକ ପୂର୍ବରୁ ମୋବାଇଲ ବ୍ୟବହାର ଓ ଫଟୋ ଉଠାଇବା ନିଷେଧ କରାଯାଇଥିଲା। ସମସ୍ତଙ୍କ ମୋବାଇଲ ଗୋଟିଏ ସ୍ଥାନରେ ରଖାଯିବା ପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନବ-କିଶୋର ହାତ ମିଳାଇ ଥିବା ନେଇ ବହୁ କର୍ମୀ ପ୍ରକାଶ କରିଥିଲେ। ଭିତରେ ବୈଠକ ଚାଲିଥିବ‌ା ବେଳେ ହୋଟେଲ ବାହାରେ ଶତାଧିକ ବିଜେଡ଼ି କର୍ମୀ ଭିଡ଼ ଜମାଇଥିଲେ। ଆଜିସକାଳେ ଉଭୟ ନେତାଙ୍କ ସହିତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବି ଆସିଥିଲେ। ତେବେ ମନ୍ତ୍ରୀ ଶ୍ରୀ ମଲ୍ଲିକ ବୈଠକକୁ ଯାଇନଥିଲେ। ମନ୍ତ୍ରୀ ସ୍ଥାନୀୟ ଡାକବଙ୍ଗଳା ଠାରେ ବସି ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହିତ ଆସନ୍ତା ୨୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଆଲୋଚନା କରିବା କୁହାଯାଉଛି।

ସମ୍ବନ୍ଧିତ ଖବର