ବିରୋଧୀଙ୍କ ନାରାବାଜି, ସୌମ୍ୟରଞ୍ଜନଙ୍କ ଜୟ ଜଗନ୍ନାଥ

ଭୁବନେଶ୍ବର : ବିଧାନସଭାରେ ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇଥିଲେ। ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚ ଦାବି ଉପରେ ସୌମ୍ୟରଞ୍ଜନ ଆଲୋଚନା ଆରମ୍ଭ କରିବା ବେଳେ ଗୃହରେ ସ୍ବାଭାବିକ ଅବସ୍ଥା ନ ଥିଲା। ରାଜ୍ୟର ଆଇନ ଶୃଙ୍ଖଳା ନେଇ ସ୍ବତନ୍ତ୍ର ଆଲୋଚନା ଦାବିରେ କଂଗ୍ରେସ କକ୍ଷତ୍ୟାଗ କରିଥିବାବେଳେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସି ପାଟିତୁଣ୍ଡ ଚଳାଇଥିଲେ। ଏହାରି ଭିତରେ ବାଚସ୍ପତି ଶ୍ରୀ ପଟ୍ଟନାୟକଙ୍କୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରିବାକୁ ଡାକିବାରୁ ‘ଜୟ ଜଗନ୍ନାଥ’ କହି ସେ ଆଲୋଚନା ଆରମ୍ଭ କରିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ,‘ସାର୍ ମୋର ଯେଉଁ ବନ୍ଧୁମାନେ ଆଜି ଗୃହରେ ସତ୍ୟାଗ୍ରହ କରୁଛନ୍ତି ସେମାନଙ୍କ ପାଇଁ ଏହି ଜୟ ଜଗନ୍ନାଥ କଥାଟି ପ୍ରଯୁଜ୍ୟ।’ ସେ କହିଥିଲେ, ଆଜି ସାରା ବିଶ୍ବରେ ଜଗନ୍ନାଥଙ୍କ ପ୍ରାସଙ୍ଗିକତା ରହିଛି। ତାଙ୍କ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟସ୍ଥଳୀ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଲେ, ବାରମ୍ବାର ନିର୍ବାଚନ ଜିତି ଆସୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଲୋକ ଯେତେବେଳେ ତାଙ୍କର ଏହି ସଫଳତା ବିଷୟରେ ପଚାରନ୍ତି ସେମାନଙ୍କୁ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଆସିଛନ୍ତି ଯେ, ଜନ ପ୍ରତିନିଧି ଭାବେ ତୁମେ ଯେତେବେଳେ ସାଧାରଣଲୋକଟି କଥା ମନରେ ରଖିବ ସେତେବେଳେ ଲୋକେ ତୁମକୁ ବାରମ୍ବାର ବାଛିବେ। ଏପରିକି ୯୧% ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇଥିଲେ ବିରୋଧୀ ସଦସ୍ୟଙ୍କ ଗାରିମା ଏ ଗୃହରେ ବୃଦ୍ଧି ପାଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର