ବିଧାୟକଙ୍କ ପୁଅ ମାମଲାରେ ନୋଟିସ୍‌

କଟକ : ଦୁଷ୍କର୍ମ ମାମଲାରେ ଫସିଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାକେଶ ଜୋସଙ୍କ ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାକେଶ କରିଥିବା ଆବେଦନର ଶୁଣାଣି କରି ରାଜ୍ୟ ସରକାର ଓ ଏତଲାକାରିଣୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଗ୍ରୀଷ୍କ ଅବକାଶ ପରେ ମାମଲାର ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବିଶ୍ୱରଂଜନ ଦଳାଇ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ରାକେଶଙ୍କ ବିରୋଧରେ ରାଉରକେଲା ସେକ୍ଟର-୧୫ରେ ରହୁଥିବା ଜଣେ ଯୁବତୀ ସ୍ଥାନୀୟ ମହିଳା ଥାନାରେ ଏତଲା ଦେଇଥିଲେ। ଏତଲା ସହିତ ସିଆରପିସିର ଧାରା ୧୬୪ରେ ଯୁବତୀ ଦେଇଥିବା ବୟାନ ଅନୁଯାୟୀ ରାକେଶ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ରାକେଶଙ୍କର ଅନ୍ୟ ସ୍ଥାନରେ ବିବାହ ସ୍ଥିର ହୋଇଥିବା ସେ ଜାଣିବାକୁ ପାଇ ତାଙ୍କ ଘରକୁ ଯାଇ ସମସ୍ତ ଘଟଣା ସଂପର୍କରେ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ। ରାକେଶଙ୍କ ଘରୁ ନିରାଶ ହୋଇ ଫେରିବା ପରେ ଯୁବତୀ ଜଣକ ମୁହଁ ଖୋଲିଥିଲେ।

ସମ୍ବନ୍ଧିତ ଖବର