କେନ୍ଦ୍ର ମନ୍ତ୍ରୀ-ବିଭାଗ ମଧ୍ୟରେ ତାଳମେଳ ନାହିଁ : ଏମ୍‌ଏମ୍‌ଟିସି ସିଏମ୍‌ଡିଙ୍କ ଘୋଷଣା ପାଣିର ଗାର, ୧୦ହଜାର କର୍ମଚାରୀ ଓ ଶ୍ରମିକଙ୍କ ମଧ୍ୟରେ ଭାଳେଣି

ବିଧାନସଭାରେ ବିଧାୟକଙ୍କ ଉଦବେଗ, ୪୦୦ କୋଟି ଦାବି କଲେ ଡାନିି

ଯାଜପୁର : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋଟଏ ପରେ ଗୋଟିଏ ଇସ୍ପାତ କାରଖାନାରେ ତାଲା ପଡୁଛି। ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାର ସ୍ଥିତି ସଙ୍ଗିନ ଥିବା ବେଳେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଏମ୍‌ଏମ୍‌ଟିସି ତାହାର ୪୯.୯ ଅଂଶଧନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଦୀର୍ଘ ଦିନ ହେଲା ନୀଳଚଳ କାରଖାନାର କାରବାରରୁ ‌ହଜାର ହଜାର କୋଟି ଟଙ୍କା ଲାଭ ନେଇ ଆସିଥିବା ଏମ୍‌ଏମ୍‌ଟିସି କାରଖାନାର ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଥିବା ବେଳେ ଅଂଶଧନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିବା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। କାରଖାନା ସ୍ଥିତି ଭୁଶୁଡ଼ି ପଡ଼ିବା ସହିତ ପ୍ରାୟ ୧୦ହଜାର କର୍ମଚାରୀ ଓ ଶ୍ରମିକଙ୍କ ପରିବାର ଜୀବିକା ହରାଇବା ଭଳି ବିସ୍ଫୋରକ ପରିସ୍ଥିତି ଉପୁଜିବାକୁ ଯାଉଛି। ଆଜି ସୁକିନ୍ଦା ବିଧାୟକ ଇଞ୍ଜିନୟର ପ୍ରୀତିରଞ୍ଜନ ଘ‌ଡ଼େଇ ବିଧାନସଭାରେ ଉଦବେଗ ପ୍ରକାଶ କରିବା ସହିତ କାରଖାନା ସ୍ଥିତି ସମ୍ଭାଳିବାକୁ ୩ ଶହରୁ ୪ଶହ କୋଟି ଟଙ୍କା ଯୋଗାଇ ଦେବାକୁ ଦାବି ଉଠାଇଛନ୍ତି।

କଳିଙ୍ଗନଗର ଠାରେ ଥିବା ସରକାରୀ ଉଦ୍ୟୋଗ ନୀଳଚଳ ଇସ୍ପାତ କାରଖାନାରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ବିଭାଗ ଅଧୀନ ଏମଏମଟିସି ୧୯୯୬ ମସିହାରୁ ମୁଖ୍ୟ ଅଂଶୀଦାର ଭାବେ ୪୯.୯ ଭାଗ ଅଂଶଧନ ଖଟାଇଛନ୍ତି। ଏହି ବାବଦରେ ଏମଏମଟିସି ପ୍ରତି କଞ୍ଚାମାଲ କ୍ରୟ ଓ ଉତ୍ପାଦନ ସାମଗ୍ରୀ ମୂଲ୍ୟ ଉପରେ ୩ ଶତକଡ଼ା କମିସନ ହେଉଛନ୍ତି। ସେହିପରି କାରଖାନା ପାଇଁ ଯୋଗଇଥିବା ଋଣ ବାବଦରେ ୧୨.୫ଶତକଡ଼ା ସୁଧ ‌ନେଉଛନ୍ତି। ଏହା ବାଦ ବିଭିନ୍ନ ସମୟରେ ବଜାର ଦାମଠାରୁ କମ୍ ରେ ଉତ୍ପାଦନ ସାମଗ୍ରୀ ବିକ୍ରି କରିବା ଓ ବଜାର ଦରଠାରୁ ଅଧିକ ଦାମରେ କଞ୍ଚାମାଲ କ୍ରୟ କରି ଏମଏମଟିସିର ଅଧିକାରୀ ମାନେ ଶହ ଶହ କୋଟି ମୁନାଫା କମାଉଛନ୍ତି। ନିକଟରେ ଏବେ ଅଷ୍ଟ୍ରେଲିଆରୁ ଆମଦାନି ହୋଇଥିବା କୋଇଲା ବଜାର ଦରଠାରୁ ବହୁ ଅଧିକ ଦାମରେ କ୍ରୟ କରାଯାଇଛି। ଏମଏମଟିସିର ଏହି ମନମାନି ଯୋଗୁ କାରଖାନା ଦିନକୁ ଦିନ ତଳକୁ ତଳ ଯାଉଛି। ହଜାର ହଜାର କୋଟି ଟଙ୍କା ଘୋଟାଲା ହେଉଛି।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସେଲ୍ ଏହି କାରଖାନା ନେବାକୁ ୨ଥର ୨୦୧୦ ଓ ୨୦୧୪ରେ ପ୍ରସ୍ତାବ ଦେଇଥିବା ବେଳେ ଏଏମଟିସି ବିରୋଧ କରିଥିଲା। ଏପରିକି ନୀଳାଚଳ ଇସ୍ପାତ ନିଗମର ଅଧ୍ୟକ୍ଷ ତଥା ଏମଏମଟିସର ସିଏମଡି କିଛି ଦିନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ୨୨ହଜାର କୋଟି ଟଙ୍କା ବିନିଯୋଗ କରି ନୀଳଚଳ କାରଖାନାର ନବୀକରଣ କରାଯାଇ କ୍ଷମତା ବୃଦ୍ଧି କରାଯିବ ବୋଲି କହିଲେ। ଅଥଚ ଏବେ ହଠାତ୍ ଏହି ନିଷ୍ପତ୍ତି ତାଙ୍କ ଘୋଷଣା ଓ ବକ୍ତବ୍ୟ ପାଣିର ଗାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଘୋଷଣା କରିଆସୁଛନ୍ତି ଓଡ଼ିଶାରୁ ବାର୍ଷିକ ୧ଶହ ମିଲିଅନ୍ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଅଥଚ ସେହି କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ବିଭାଗ ଅଧୀନରେ ଥିବା ଏମଏମଟିସିର ଏଭଳି କାର୍ଯ୍ୟକଳାପ କେନ୍ଦ୍ର ସରକାରଙ୍କ କଥାରେ ତାଳମେଳ ନାହିଁ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ପ୍ରଧାନ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା ବେଳେ ନୀଳଚଳକୁ କାହିଁକି ଇସ୍ପାତ ମନ୍ତ୍ରଣାଳୟ ଅଧୀନକୁ ନ ଆଣି ବାଣିଜ୍ୟ ଓ ଶିଳ୍ପ ଅଧୀନରେ ଥିବା ଏମଏମଟିସି ହାତରେ ନୀଳାଚଳକୁ କ୍ରୀଡ଼ନକ କରି ନଚାଉଛନ୍ତି, ତାହା ବୁଝି ହେଉନାହିଁ।

ସମ୍ବନ୍ଧିତ ଖବର