କାଳିଆ ପାଇଁ ଖୁବଶୀଘ୍ର ‘ମୋ ସରକାର’
ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ କଡ଼ାକଡ଼ି ଲାଗୁ କରାଯିବ: କୃଷି ମନ୍ତ୍ରୀ, ଡିସେମ୍ବର ପହିଲାରୁ ୬ଟି ବିଭାଗକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା
ଭୁବନେଶ୍ବର : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଜନା କାଳିଆ ଖୁବଶୀଘ୍ର ‘ମୋ ସରକାର’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏଣିକି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ସହ କଥାହୋଇ ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିବେ। ଚାଷୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇପାରିବେ। କୃଷି ବିଭାଗର ଏହି ଯୋଜନା ସମେତ ୬ଟି ବିଭାଗର ୭ଟି ବିଷୟ ଆଜିଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା। କିନ୍ତୁ ରବିବାର ଥିବାରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ବି ସୂଚନା ମିଳିପାରିନି। ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ବିଭାଗୀୟ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି କେତେକ ମନ୍ତ୍ରୀ। କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଚାଷୀମାନଙ୍କ ଅସୁବିଧା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ସେ ଯେତେବେଳେ ଯାହା ନିର୍ଦ୍ଦେଶ ଦେବେ ତାକୁ କଡ଼ାକଡ଼ି ଅନୁପାଳନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ପୁଲିସ ଓ ସ୍ବାସ୍ଥ୍ୟସେବା ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଉ ୬ଟି ବିଭାଗର ୭ଟି ଯୋଜନା ଡିସେମ୍ବର ପହିଲାରୁ ଲାଗୁ କରିବା ନେଇ ଗତମାସ ୧୧ ତାରିଖରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସମ୍ପୃକ୍ତ ବିଭାଗମାନଙ୍କୁ ଚିଠି ଲେଖିଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କାଳିଆ, ମହିଳା ଓ ଶିଶୁ ବିକାଶ ବିଭାଗରେ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା, ପରିବହନ ବିଭାଗର ବାହନ ଓ ସାରଥୀ, ଯୋଗାଣ ବିଭାଗର ଚାଷୀ ପଞ୍ଜୀକରଣ, ମିଶନ ଶକ୍ତି, ପଞ୍ଚାୟତି ରାଜ ବିଭାଗର ପାନୀୟ ଜଳ ବ୍ୟବସ୍ଥା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରାଯିବ।