‘ମୋ ସ୍କୁଲ’ ଯୋଜନା : ୫ମ ପର୍ଯ୍ୟାୟରେ ୭୦୩ ସ୍କୁଲ

ଡିଇଓଙ୍କ କାର୍ଯ୍ୟାଳୟରେ ରହିବ ସେଲ୍‌

ଭୁବନେଶ୍ବର : ‘ମୋ ସ୍କୁଲ’ ଯୋଜନାର ୫ମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୭୦୩ଟି ବିଦ୍ୟାଳୟର ସାମଗ୍ରିକ ବିକାଶ କରିବାକୁ ସ୍ଥିର ହୋଇଛି। ଅନୁଗୁଳ, ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ‌‌େଢଙ୍କାନାଳ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଧା, ମାଲକାନଗିରି, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ‘ମୋ ସ୍କୁଲ’ ଯୋଜନାରେ ୫ କୋଟି ୮୩ ଲକ୍ଷ ୯୧ ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୨ କୋଟି ୮୯ ଲକ୍ଷ ୨୭ ହଜାର ଟଙ୍କାର ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କଠାରୁ ୧ କୋଟି ୯୪ ହଜାର ୬୩ ହଜାର ଟଙ୍କା ସଂଗୃହୀତ ହୋଇଛି। ବରାଦ ହୋଇଥିବା ଅର୍ଥରେ ସ୍କୁଲର ଭିତ୍ତିଭୂମି, ‌ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯାୟୀ ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ‘ମୋ ସ୍କୁଲ’ ସେଲ୍‌ ରହିବ। ଜିଲ୍ଲାସ୍ତରରେ ପ୍ରକଳ୍ପ ପରିଚାଳନା ପାଇଁ ଜଣେ ନୋଡାଲ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯିବ। ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ୬ ଜଣିଆ କାର୍ଯ୍ୟକାରୀ ଦଳ ଗଠନ କରାଯିବ। ସେଥିରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ଦୁଇ ଜଣ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଦୁଇ ଜଣ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ସମ୍ପୃକ୍ତ ବ୍ଲକର ସମଗ୍ର ଶିକ୍ଷା ବୈଷୟିକ ପରାମର୍ଶଦାତା ସଦସ୍ୟ ରହିବେ। ଅନ୍ୟପକ୍ଷରେ ବିଦ୍ୟାଳୟସ୍ତରରେ ପ୍ରକଳ୍ପ କାର୍ଯ୍ୟ ତଦାରଖ ପାଇଁ ଜଣେ ବରିଷ୍ଠ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ଆଲୁମିନି ଆସୋସିଏସନ ପ୍ରତିନିଧି, ଶିକ୍ଷାର୍ଥୀ ମନ୍ତ୍ରୀମଣ୍ଡଳ ପ୍ରତିନିଧି ସଦସ୍ୟକୁ ନେଇ କାର୍ଯ୍ୟକାରୀ ଦଳ ଗଠନ କରାଯିବ। ଏହି ଯୋଜନାର ବ୍ୟାପକ ପ୍ରସାର ଓ ପ୍ରଚାର କରିବାକୁ ସ୍ଥିର ହୋଇଛି। ବିଭିନ୍ନ ପ୍ରଚାରପତ୍ର, ହୋର୍ଡିଂ, ପୋଷ୍ଟର୍‌, ସାମାଜିକ ଗଣମାଧ୍ୟମ, ମୁଦ୍ରିତ ଓ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମକୁ ଉପଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ଓ ମାଧମିକ ଶିକ୍ଷା ମିସନ୍‌ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି। ବୈଠକରେ ପ୍ରାଥମିକ ଶିକ୍ଷା, ଏସ୍‌ସିଇଆର୍‌ଟି ନିର୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିତ୍ତ ପରାମର୍ଶଦାତା, ମାଧ୍ୟମିକ ଶିକ୍ଷା ପ୍ରତିନିଧି, ମୋ ସ୍କୁଲ ଯୋଜନାର ସ୍ବତନ୍ତ୍ର ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ସୁପରିଟେଣ୍ଡିଂ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର