ମୋ ସ୍କୁଲ୍ ଯୋଜନା : ଷଷ୍ଠ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୧୯୧୮ ସ୍କୁଲ୍ ସାମିଲ

ଭୁବନେଶ୍ବର : ‘ମୋ ସ୍କୁଲ୍‌’ ଅଭିଯାନର ଷଷ୍ଠ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୧୯୧୮ ସ୍କୁଲ୍‌ ସାମିଲ ହୋଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡ଼ା। ମାଲକାନଗରିରୁ ସର୍ବାଧିକ ୬୪୩ଟି ସ୍କୁଲ୍‌ରୁ ପ୍ରସ୍ତାବ ଆ‌ସିଛି। ଏହି ସବୁ ଜିଲ୍ଲାରେ ମୋ ସ୍କୁଲ୍‌ ଯୋଜନାରେ ୧୦ କୋଟି ୪୨ ଲକ୍ଷ ୧୮ ହଜାର ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୬ କୋଟି ୯୪ ଲକ୍ଷ ୭୯ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କ ଠାରୁ ୩ କୋଟି ୪୭ ଲକ୍ଷ ୩୯ ହଜାର ଟଙ୍କା ସଂଗୃହୀତ ହୋଇଛି। ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୬୫୧୦ ସ୍କୁଲ୍‌ ଏହି ଯୋଜନାରେ ସାମିଲ ହୋଇଛନ୍ତି। ବରାଦ ହୋଇଥିବା ଏହି ଅର୍ଥରେ ସ୍କୁଲ୍‌ ଭିତ୍ତଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆ‌ସବାବପତ୍ର ଯୋଗାଣ, ସ୍କୁଲ୍‌ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ୍‌ ଅଭିଯାନର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର କରାଯାଇଛି। ବୈଠକରେ ମୋ ସ୍କୁଲ୍‌ ଯୋଜନାର ସଦସ୍ୟ ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର