ବିଚ୍ଛିନ୍ନାଞ୍ଚଳର ଜନ୍ତାପାଇରେ ପୁଲିସ ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ; ୩ କନେଷ୍ଟବଳ ଗୁରୁତର, ଅନେକ ଆହତ

ମାଲକାନଗିରି: ଆଜି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ସଂଘବଦ୍ଧ ଜନତା ପୁଲିସ ଉପରେ ଆକ୍ରମଣ କରିଥିବା ଖବର ଆସିଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଜନ୍ତାପାଇରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇ ୩ଜଣ କନ୍‌ଷ୍ଟେବଳ ଗୁରୁତର ହୋଇଥିବା ବେଳେ ଆଉ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଜନତାଙ୍କ ମାଡ଼ରେ ପୁଲିସ କର୍ମଚାରୀ କୁବେର ଅନୁଗୁଳିଆ,ଧୀରେନ୍ ଦେବତା ଓ ସରୋଜ କୁମାର ସାହୁ  ଗୁରୁତର ହୋଇଛନ୍ତି। ଜନ୍ତାପାଇ ଅଞ୍ଚଳର ହଜାର ହଜାର ଲୋକ ଜଣେ ବ୍ୟକ୍ତିଙ୍କ ମୃତଦେହ ରାସ୍ତାରେ ରଖି ବିକ୍ଷୋଭ କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବାର ସମୟରେ ଅଘଟଣ ଘଟିଥିଲା। ବର୍ତ୍ତମାନ ୩ ପୁଲିସ କନ୍‌ଷ୍ଟେବଲ୍‌ଙ୍କୁ ମାଲକାନଗିରିରେ ଚିକିତ୍ସା କରାଯାଉଥିବା ବେଳେ ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଚ୍ଛିନ୍ନାଞ୍ଚଳର ଧୂଳିପୁଟ ପଞ୍ଚାୟତର ରଙ୍ଗିପୁଟ ଗାଁର ଜନୈକ ରାଜୁ ହନ୍ତାଳଙ୍କୁ ଜନ୍ତାପାଇ ବିଏସ୍‌ଏଫ୍‌ କ୍ୟାମ୍ପର କିଛି ଯବାନ ପଚରାଉଚରା ଲାଗି ଉଠାଇ ନେଇଥିବା ଗ୍ରାମବାସୀ ଦେଖିଥିଲେ। ଏହି ଘଟଣାର ଦୁଇ/ତିନି ଦିନ ପରେ ଶନିବାର ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଜନ୍ତାପାଇର ଏକ ଅଙ୍ଗନବାଡି କେନ୍ଦ୍ରରୁ ମିଳିଥିଲା। ଏହାପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ରାଜୁ ହନ୍ତାଳଙ୍କୁ ହତ୍ୟା କରାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ଘଟଣାକୁ ନେଇ କ୍ରମଶଃ ଉତ୍ତେଜନା ପ୍ରକାଶ ପାଉଥିବା ବେଳେ ପୁଲିସ ରାଜୁ ହନ୍ତାଳଙ୍କ ମୃତଦେହକୁ ମାଲକାନଗିରି ନେଇ ବ୍ୟବଚ୍ଛେଦ କରାଇ ପୁଣି ଜନ୍ତାପାଇ ନେଇ ଆସିଥିଲା। ଏହାପରେ ହଜାରହଜାର ସ୍ଥାନୀୟଲୋକ ଏକତ୍ରିତ ହୋଇ ମୃତଦେହ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। 

ସମ୍ବନ୍ଧିତ ଖବର