ମାଟ୍ରିକ୍‌ ପରେ ଯୁକ୍ତ୨ ପରୀକ୍ଷା ଚିନ୍ତା: ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ମନା

ଭୁବନେଶ୍ୱର: ଲଗାତାର ଭାବେ ମାଟ୍ରିକ୍‌ ପରୀକ୍ଷାର ଦୁଇଟି ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ଏବେଠାରୁ ଚିନ୍ତା ବଢ଼ିଯାଇଛି। ପରୀକ୍ଷା ଯେପରି ସୁରୁଖୁରରେ ହେବ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘନଘନ ବୈଠକ କରାଯାଇ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳା ତଥା ବିବାଦ ମୁକ୍ତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରଶ୍ନପତ୍ର ଭାଇରାଲ ହେବାର ପ୍ରମୁଖ ମାଧ୍ୟମ ମୋବାଇଲ୍‌ ହେଉଥିବାରୁ ଯୁକ୍ତ୨ ପରୀକ୍ଷାରେ ବି ମୋବାଇଲ୍‌ କଟକଣା ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର କ୍ୟାମ୍ପସରେ ମୋବାଇଲ୍‌ ବାରଣ କରାଯାଇଛି। କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ୍‌ ନେବା ଉପରେ କଟକଣା ଜାରି ହୋଇଛି। କପି ରୋକିବା ଓ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ନେଇ ମଧ୍ୟ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ କେହି ବି ନେଇପାରିବେ ନାହିଁ। ପରୀକ୍ଷାର୍ଥୀଙ୍କ ଲାଗି ଯେଉଁ ବୈଦ୍ୟୁତିକ ସାମଗ୍ରୀ ଆବଶ୍ୟକ ତାହାକୁ ଅନୁମତି ଦିଆଯିବ। ଛାତ୍ରଛାତ୍ରୀ, ଇନ୍‌ଭିଜିଲେଟରଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତିବିଶେଷ ମୋବାଇଲ୍‌ ନେଇ ପ୍ରବେଶ କରିପାରିବେ ନାହିଁ। ଯଦି ଦରକାର ପଡ଼େ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଏକ ରୁମ୍‌ ଚିହ୍ନଟ କରିବେ, ଯେଉଁଠାରେ କେବଳ କେନ୍ଦ୍ରର କର୍ମଚାରୀମାନେ ମୋବାଇଲ୍‌ ରଖିପାରିବେ। ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍‌ ପାଖରେ ରଖିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ହିଁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବେ। କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। ଗୋଟିଏ ଖଣ୍ଡ କପି ଯେପରି ବି ପରୀକ୍ଷା କେନ୍ଦ୍ରକୁ ପଶି ନ ପାରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏନେଇ ଫାଟକ ନିକଟରେ ବଡ଼ ଅକ୍ଷରରେ ନୋଟିସ୍‌ ଲଗିବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍‌ରେ ବସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ପରୀକ୍ଷାର୍ଥୀଙ୍କ ଅଭିଭାବକ ଏକାଠି ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଯଦି ଦରକାର ପଡ଼େ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ପରୀକ୍ଷା କେନ୍ଦ୍ର ଭିତରେ ସୁରକ୍ଷା କଡ଼ାକଡ଼ି ରହିବା ଦରକାର। ଫଳରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ପଦାକୁ ଆସିପାରିବ ନାହିଁ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସୁପରିନ୍‌ଟେଣ୍ଡେଣ୍ଟମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇବେ। ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ନିର୍ଦେଶ ଦିଆଯାଇଛି।

କେବଳ ସୁପରିନ୍‌ଟେଣ୍ଡେଣ୍ଟ ଧରିବେ ଫୋନ୍‌
କେନ୍ଦ୍ର ବାହାରେ ରହିବେନି ଅଭିଭାବକ
ଛାତ୍ରୀଙ୍କୁ ଯାଞ୍ଚ କରିବେ ଅଧ୍ୟାପିକା

ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବାକୁ କୁହାଯାଇଛି। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ କରିବାକୁ ବି ନିର୍ଦେଶ ଦିଆଯାଇଛି। ପରୀକ୍ଷା ସମୟରେ ପର୍ଯ୍ୟାୟକ୍ରମେ ଶୌଚାଳୟଗୁଡ଼ିକୁ ଯାଞ୍ଚ କରାଯିବା ଆବଶ୍ୟକ। ଯେପରିକି ପରୀକ୍ଷାର୍ଥୀ ସେଠାରେ କପି ଲୁଚାଇ ନ ରଖନ୍ତି। ଶୌଚାଳୟ ଯିବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ଟେବୁଲ୍‌ରେ ଯେପରି ପ୍ରଶ୍ନପତ୍ର ରଖି ଯିବେ ସେଥିପ୍ରତି ଇନ୍‌ଭିଜିଲେଟରମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି।
ଚଳିତ ବର୍ଷ ଯୁକ୍ତ୨ ପରୀକ୍ଷା ଲାଗି ୧୧୦୪ଟି କେନ୍ଦ୍ର କରାଯାଇଛି। ପରୀକ୍ଷା ପରିଚାଳନା ଲାଗି ୨୦୨ଟି ହବ୍‌ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ୩ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର