ଭୁବନେଶ୍ବର : ବାତ୍ୟା, ବନ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା କେତେଦୂର ପ୍ରସ୍ତୁତ? ଏଭଳି ପ୍ରଶ୍ନକୁ ନଜରରେ ରଖି ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା, ବ୍ଲକ୍ ଓ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରସ୍ତୁତି ଅଭ୍ୟାସ(ମକ୍ଡ୍ରିଲ୍) ଅନୁଷ୍ଠିତ ହୋଇଯାଇଛି।
ଏହି ମକ୍ଡ୍ରିଲ୍ ନିମନ୍ତେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ କୃତ୍ରିମ ସତର୍କ ସୂଚନା ଜାରି କରାଯାଇଥିଲା। ଏହି କୃତ୍ରିମ ସୂଚନା ପାଇବା ପରେ ରାଜ୍ୟସ୍ତରରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ଥିବା ଆପଦକାଳୀନ ପରିଚାଳନା କେନ୍ଦ୍ର ସମସ୍ତ ଜିଲ୍ଲା ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କୁ ସେହି ସୂଚନା ପଠାଯାଇଥିଲା। ଜିଲ୍ଲା ସ୍ତରରେ ଏହି ସତର୍କ ସୂଚନା ମିଳିବା ପରେ ବ୍ଲକ୍ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ତଥା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା ସମିତିମାନଙ୍କୁ ଜଣାଇ ଦେଇଥିଲା ଜିଲ୍ଲା ଆପଦକାଳୀନ ପରିଚାଳନା କେନ୍ଦ୍ର। ସତର୍କ ସୂଚନା ପାଇବା ମାତ୍ରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟର ଅଭ୍ୟାସ କରାଯାଇଥିଲା।
୨୫ଟି ଜିଲ୍ଲାର ୮୭୯ଟି (୫୬୮ ବାତ୍ୟା ଓ ୩୧୧ ବନ୍ୟା) ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ ବା ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଅବଶିଷ୍ଟ ୫ଟି ଜିଲ୍ଲା ଯଥା: କନ୍ଧମାଳ, ବଲାଙ୍ଗୀର, ଦେବଗଡ଼, ସୁନ୍ଦରଗଡ଼ ଓ ଅନୁଗୁଳରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମକ୍ ଡ୍ରିଲ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ଆଶ୍ରୟସ୍ଥଳୀ ସ୍ତରରେ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସଭ୍ୟସଭ୍ୟା ଓ ଜନସାଧାରଣ ଭାଗ ନେଇଥିଲେ। ସେହିପରି ଆଶ୍ରୟସ୍ଥଳୀ ସ୍ତରରେ ଟାସ୍କଫୋର୍ସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ଯଥା:–ଟାୱାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର, ଷ୍ଟ୍ରେଚର୍, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧୀୟ ଅଭ୍ୟାସ ହୋଇଥିଲା।
ଅଗ୍ନିଶମ ସେବା ବାହିନୀ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସନ୍ଧାନ ଓ ଉଦ୍ଧାର କୌଶଳ ପ୍ରଦର୍ଶନ କାର୍ଯ୍ୟ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ବ୍ଲକ୍ ଓ ତହସିଲ ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମ୍ପୃକ୍ତ ସରପଞ୍ଚ ତଥା ଗ୍ରାମ ପଞ୍ଚାୟତ କର୍ମକର୍ତା ଓ ସାଧାରଣ ଲୋକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ମକ୍ଡ୍ରିଲ୍ ରାଜ୍ୟସ୍ତରରେ ସ୍ୱତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ମାଧ୍ୟମରେ ପରିଚାଳନା କରାଯାଇଥିଲା।