ଆଦର୍ଶ ଆଚରଣ ବିଧି-୨୦୧୯ : ପ୍ରାର୍ଥୀ ଓ ରାଜନୈତିକଦଳ କେମିତି ପାଳନ କରିବେ

ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା କରିବାକୁ ପଡ଼ିଆ ଓ ହେଲିପ୍ୟାଡକୁ ନିରପେକ୍ଷ ଭାବେ ବଣ୍ଟନ।

ନିର୍ବାଚନ ସମୟରେ ଅନ୍ୟ ରାଜନୈତିକ ଦଳ ଓ ପ୍ରାର୍ଥୀ ସମାଲୋଚନା କରିବା ବେଳେ ସରକାରଙ୍କ ନୀତି, କାର୍ଯ୍ୟକ୍ରମ, ଅତୀତର ଉପଲବ୍ଧି ଭିତରେ ସୀମିତ ରହିବା ଦରକାର।

ପ୍ରତ୍ୟେକ ବ୍ୟକ୍ତିର ଶାନ୍ତିପୂର୍ଣ୍ଣ ଘରୋଇ ଜୀବନ ସହ ବ୍ୟକ୍ତିଗତ ଅଧିକାର ଯେପରି କ୍ଷୁଣ୍ଣ ନହୁଏ ସେଥିପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳ ଯତ୍ନବାନ ରହିବେ।

ସାଧାରଣ ସଭା ପାଇଁ ସ୍ଥାନୀୟ ପୋଲିସ କର୍ତ୍ତପକ୍ଷଙ୍କୁ ସମ୍ପୂର୍ଣ୍ଣ ଅବଗତ କରିବା ସହ ଆବଶ୍ୟକ ଅନୁମତି ପତ୍ର ଯଥେଷ୍ଟ ପୂର୍ବରୁ ଆଣିବା ଦରକାର।

ପ୍ରସ୍ତାବିତ ସଭା ସ୍ଥଳରେ ଯଦି ଆଇନଗତ ବାରଣ ଥାଏ ତା ହେଲେ ତାକୁ ସମ୍ମାନ ଦେବା ଦରକାର

ଆଇନଗତ ବାରଣ ଥିବା ସ୍ଥାନରେ ସଭା କୋହଳ କରି ସଭା କରିବାକୁ ହେଲେ ନିର୍ବାଚନ କମିସନଙ୍କୁ ସଭା କାର୍ଯ୍ୟକ୍ରମର ଯଥେଷ୍ଟ ଆଗରୁ ଆବେଦନ କରିବା ଉଚିତ।
ସଭାରେ ଲାଉଡ ସ୍ପିକର ବଜାଇବା ପାଇଁ ଅନୁମତି ମିଳିଥିବା ଦରକାର।

ସଭାସ୍ଥଳରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଓ କଟକଣା ନେଇ ଆଗରୁ ପୋଲିସ ସହାୟତା ମାଗିବା ଦରକାର।

ରାଲି ଓ ଶୋଭାଯାତ୍ରାର ଆରମ୍ଭ ଓ ଶେଷ ସ୍ଥାନ ସହ ସମୟ ବାବଦରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ପୋଲିସ କର୍ତ୍ତପକ୍ଷଙ୍କଠୁ ଅନୁମତି ଆଣିବା ବାଞ୍ଛନୀୟ।

ରାଜନୈତିକ ଦଳର ଶୋଭାଯାତ୍ରା ଗଲାବେଳେ ସ୍ଥାନୀୟ ଟ୍ରାଫିକ ନିୟମ ପାଳ କରିବା ବାଧ୍ୟତାମୂଳକ।

ଶୋଭାଯାତ୍ରା ଗଲାବେଳେ ଟ୍ରାଫିକ ଭିଡ଼ ନକରି ଗମନାଗମନରେ ଯେପରି ଅସୁବିଧା ନହେବ ସେଥିପାଇଁ ଦଳୀୟ ନେତା ଦୃଷ୍ଟି ଦେବେ।

ନିର୍ବାଚନ ସମୟରେ ରାଜନୈତିକ ଦଳର ପ୍ରାର୍ଥୀ ଓ କର୍ମୀ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ କରିବେ।

ନିିର୍ବାଚନ ଦାୟିତ୍ବରେ ଥିବା ଦଳୀୟ କର୍ମୀମାନେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ।

ଭୋଟରଙ୍କୁ ପ୍ରଦାନ କରାଯାଉଥିବା ଚିରକୁଟ୍ ଧଳା ରଙ୍ଗର ହେବା ସହ ସେଥିରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ।

ପ୍ରଚାର ସମୟରେ ରାଜନୈତିକ ଦଳମାନଙ୍କ ପ୍ରଚାର ଗାଡ଼ି ଓ ନିର୍ବାଚନ ଦିନ ଜାରି ହୋଇଥିବା କଟକଣାକୁ ପାଳନ କରିବା ବାଞ୍ଛନୀୟ।

ନିର୍ବାଚନ ସଂକ୍ରାନ୍ତ ଅଭିଯୋଗ ଗୁଡ଼ିକୁ ଭାରତ ନିର୍ବାଚନ କମିସନଙ୍କ ଦ୍ବାରା ନିୟୋଜିତ ନିର୍ବାଚନ ନିରୀକ୍ଷକ, ରିଟର୍ଣ୍ଣିଂ ଅଫିସର, ଜୋନ୍ ଅଧିକାରୀ, କ୍ଷେତ୍ରୀୟ ମାଜିଷ୍ଟ୍ରେଟ୍, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଅଣାଯିବା ଦରକାର।

ଏହାସହିତ ନିର୍ବାଚନ କମିସନଙ୍କ ପକ୍ଷରୁ ବିକଶିତ ହୋଇଥିବା ମୋବାଇଲ ଆପ (ସି-ଭିଜିଲ୍) ଜରିଆରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇପାରିବ।

ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବା ବାଞ୍ଛନୀୟ।

ପ୍ରଚାର ଅବଧି ସମ୍ପୂର୍ଣ୍ଣ ହେବା ପରେ ଯେଉଁମାନେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ନୁହନ୍ତି, ପ୍ରଚାର ଉଦ୍ଦେଶ୍ୟରେ ଆସିଥିବା ତାରକା ପ୍ରଚାରକ, ନେତା ଓ କର୍ମୀ ତୁରନ୍ତ ସେ ନିର୍ବାଚନ ମଣ୍ଡଳୀ ପରିତ୍ୟାଗ କରିବା ଦରକାର।

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ରାଜନୈତିକ ଦଳଗୁଡ଼ିକ ଦୈନିକ ନଗଦ ଆକାରରେ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।
ବ୍ୟାଙ୍କ ନଥିବା ସ୍ଥାନରେ ଏହି ଖର୍ଚ୍ଚସୀମାକୁ କୋହଳ କରାଯାଇଛି।

ସମ୍ବନ୍ଧିତ ଖବର