ରାଜ୍ୟରେ ଏମିତି ଚାଲିଛି ମଡେଲ୍‌ ସ୍କୁଲ : ୪ଟି ସ୍କୁଲର ନିଜସ୍ବ କୋଠା ନାହିଁ, ୧୫୬ ବିଦ୍ୟାଳୟରେ ଅଧ୍ୟକ୍ଷ ନାହାନ୍ତି, ୧୨୪୨ଟି ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି

ଭୁବନେଶ୍ବର : କେନ୍ଦ୍ରୀୟ ବିଦ୍ୟାଳୟ ଢ଼ାଞ୍ଚାରେ ଖୋଲିଛି ମଡେଲ୍‌ ସ୍କୁଲ। ଛାତ୍ରଛାତ୍ରୀ ଅତ୍ୟାଧୁନିକ ଶିକ୍ଷା ଗ୍ରହଣ କରିବେ। ପାଠପଢ଼ା ସହ ଖେଳକୁଦରେ ବି ଶ୍ରେଷ୍ଠତ୍ବ ଦେଖାଇବେ। କମ୍ପ୍ୟୁଟର ଶିକ୍ଷାରେ ବି ଦକ୍ଷ ହେବେ। ଏଭଳି ଲକ୍ଷ୍ୟ ନେଇ ୨୦୧୬ରେ ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାରେ ଖୋଲିଥିଲା ମଡେଲ୍‌ ସ୍କୁଲ ବା ଆଦର୍ଶ ବିଦ୍ୟାଳୟ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଅଧୀନରେ ଷଷ୍ଠ ଶ୍ରେଣୀରୁ ଯୁକ୍ତ୨ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ପିଲାଙ୍କୁ ୟୁନିଫର୍ମ, ବହିପତ୍ର, ସାଇକେଲ୍, ହଷ୍ଟେଲ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଥିଲା।

ତିନି ବର୍ଷ ବିତିଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଶହେ ସ୍କୁଲ ଖୋଲିଥିଲା। ଏବେ ଏହି ସଂଖ୍ୟା ୧୯୦ରେ ପହଞ୍ଚିଛି। କିନ୍ତୁ ପିଲାଙ୍କ ପାଠପଢ଼ା ଏକପ୍ରକାର ଚୁଲିକୁ ଗଲାଣି। ନାହିଁ ନାହିଁରେ ଚାଲିଛି ଅଧିକାଂଶ ମଡେଲ୍‌ ସ୍କୁଲ। ୪ଟି ସ୍କୁଲରେ ଏପର୍ଯ୍ୟନ୍ତ ନିଜସ୍ବ କୋଠା ନାହିଁ। ଯାଜପୁର ଜିଲ୍ଲାର ସୁକିନ୍ଦାରେ ଚାଲିଥିବା ଆଦର୍ଶ ବିଦ୍ୟାଳୟ ଏବେ ଏକ କଲେଜରେ ଚାଲୁଛି। ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ, କାଶୀପୁର, ତରଭାରେ ଖୋଲିଥିବା ଆଦର୍ଶ ବିଦ୍ୟାଳୟ ଏବେ ନିକଟସ୍ଥ ସରକାରୀ ସ୍କୁଲରେ ଚାଲିଛି। ୧୫୬ ସ୍କୁଲରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ମୋଟ ୩୬୪୦ ପଦବି ମଧ୍ୟରୁ ୨୩୯୮ ପଦ ପୂରଣ ହୋଇଛି। ୩୫ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ରହିଛି। ୬୦ଟି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି। ୧୦୦ ସଙ୍ଗୀତ ଶିକ୍ଷକ ପଦ ଖାଲି। ରସାୟନ ବିଜ୍ଞାନରେ ୮୮‌ଟି ପଦ ଖାଲି ରହିଥିବା ବେଳେ ଗଣିତରେ ୫୭, ପଦାର୍ଥ ବିଜ୍ଞାନରେ ୮୦, ଜୀବ ବିଜ୍ଞାନରେ ୪୯ଟି ପଦ ଖାଲି ରହିଛି। ଏକଥା ଆମେ କହୁନୁ। ସୂଚନା ଅଧିକାର ଆଇନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପ୍ରଦାନ କରିଥିବା ତଥ୍ୟରେ ଏଭଳି ଉଲ୍ଲେଖ ରହିଛି।

ଆହୁରି ଜଣାପଡ଼ିଛି ଯେ ବହୁ ସ୍କୁଲ୍‌ ଗୃହ ଏବେ ବି ନିର୍ମାଣଧୀନ ରହିଛି। ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟ ପାଇଁ ୧୨ଟି ଶିକ୍ଷକ ଓ ୪ଟି ଅଣ ଶିକ୍ଷକ(ଗୋଟିଏ କିରାଣୀ ଓ ୩ଟି ପିଅନ) ପଦ ସୃଷ୍ଟି ହୋଇଛି। ହେଲେ ସେତିକି ନାହାନ୍ତି। ସବୁ ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। କିଛି ବିଦ୍ୟାଳୟରେ କେବଳ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାଙ୍କୁ ହଷ୍ଟେଲ ସୁବିଧା ଦିଆଯାଇଛି। ପିଲାମାନଙ୍କ ପାଇଁ ଯାତାୟାତ ଖର୍ଚ୍ଚର ସୁବିଧା କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ସ୍ବପ୍ନରେ ରହିଛି। ବଡ଼ କଥା ହେଉଛି ଯେ ଗତ ତିନି ଆର୍ଥିକ ବର୍ଷରେ ମିଳିଥିବା ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରାଯାଇପାରିନି। ୨୦୧୬-୧୭ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୫୦୦ କୋଟି ଲେଖାଏ ଓ ୨୦୧୭-୧୮ରେ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତେବେ ତଥ୍ୟରେ ଦିଆଯାଇଛି ଯେ ୨୦୧୬-୧୭ରେ ୧୬୮ କୋଟି, ୨୦୧୭-୧୮ରେ ୨୧୩ କୋଟି ଓ ୨୦୧୮-୧୯‌ରେ ୩୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ୫୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରି ନଥିବା କୁହାଯାଇଛି।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସୂଚନାଧିକାର କର୍ମୀ ଦିଲ୍ଲୀପ ସାମନ୍ତରାୟ, ଆଇନଜୀବୀ ସୁଧୀର ମହାନ୍ତି କହିଛନ୍ତି ଯେ ଆଦର୍ଶ ବିଦ୍ୟାଳୟ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟକୁ ଦରଖାସ୍ତ କରାଯାଇଥିଲା। ସମ୍ପୂର୍ଣ୍ଣ ତଥ୍ୟ ସରକାରୀ ଅଧିକାରୀମାନେ ଦେଇନାହାନ୍ତି। ପିଲାଙ୍କ ସଂଖ୍ୟା ମଧ୍ୟ ଦିଆଯାଇ ନାହିଁ। ଯେତିକି ତଥ୍ୟ ମିଳିଛି, ସେଥିରୁ ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ଥିତି ଅତ୍ୟନ୍ତ ଦୟନୀୟ ଓ ଦୁର୍ଭାଗ୍ୟଜନକ ବୋଲି ସ୍ପଷ୍ଟ ଅନୁମେୟ ହେଉଛି।

ସମ୍ବନ୍ଧିତ ଖବର