ବ୍ରହ୍ମପୁର : ଜାତୀୟ ରାଜପଥ-୧୬ରେ ଦିନକୁ ଦିନ ଯାନବାହନ ଚଳାଚଳ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲାର ପୁଇଁତୋଳା ଠାରୁ ଆନ୍ଧ୍ରପ୍ରଦେଶର ନରସିଂହପେଟା ୧୬୫ କିଲୋମିଟର ଦୁର୍ଘଟଣା ପ୍ରବଣ ହୋଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ବି ଅସନ୍ତୋଷ ବ୍ୟକ୍ତ କଲେଣି। ଦୁର୍ଘଟଣା ରୋକିବା ସହ ଜାତୀୟ ରାଜପଥରେ ଯାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏହି ୧୬୫ କିମି ରାଜପଥରେ ଖୁବ୍ଶୀଘ୍ର ଅତ୍ୟାଧୁନିକ ଟ୍ରାଫିକ ପରିଚାଳାନା ବ୍ୟବସ୍ଥା(ଏଟିଏମ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥି ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି। ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରଥମ ଥର ଲାଗି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଏନ୍ଏଚ୍ଏଆଇ ସୂତ୍ରରୁ ଜଣାପଡିଛି।
ଏହି ଜାତୀୟ ରାଜପଥ ଓଡ଼ିଶା ସୀମା ମଧ୍ୟରେ ୪୫୭କିମି ଅତିକ୍ରମ କରୁଛି। ଚିଲିକା ପରେ ନାରାୟଣୀ ଛକ ଠାରୁ ଗରିଶୋଲା ପର୍ଯ୍ୟନ୍ତ ୫୬କିମି ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲାରେ ରହିଛି। ଏହା ମଧ୍ୟରୁ ଗଞ୍ଜାମ ବ୍ଲକ୍ର ପୁଇଁତୋଳା ଠାରୁ ଖଲ୍ଲିକୋଟ ବ୍ଲକ୍ର ନାରାୟଣୀ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏନ୍ଏଚ୍ଏଆଇ ଭୁବନେଶ୍ବର ଡିଭିଜନ ଅଧୀନରେ। ପୁଇଁତୋଳା ଠାରୁ ଗିରିସୋଲା ପର୍ଯ୍ୟନ୍ତ ୪୧କିମି ଜାତୀୟ ରାଜପଥ ବିଶାଖାପାଟଣା ଏନ୍ଏଚ୍ଏଆଇ ଡିଭିଜନ୍ ଅଧୀନରେ ଯାଉଛି। ଜାତୀୟ ରାଜପଥରେ ବାରମ୍ବାର ଦୂର୍ଘଟଣା ଘଟିବା ପରେ ଏନ୍ଏଚ୍ଏଆଇ ବିଶାଖାପଟଣା ଡିଭିଜନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୁଇଁତୋଳା ଠାରୁ ଆନ୍ଧ୍ର ପ୍ରଦେଶର ନରସିଂହପେଟା ପର୍ଯ୍ୟନ୍ତ ୧୬୫କିମି ଜାତୀୟ ରାଜପଥ ଅତ୍ୟାଧୁନିକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିଲାଗି ଏନ୍ଏଚ୍ଏଆଇ ବିଶାଖାପାଟଣା ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାରେ ଜାତୀୟ ରାଜପଥ ୧୬ରେ ପ୍ରତି ୨ କିମି ବ୍ୟବଧାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଏଥିସହ ପ୍ରତି ୨ କିମିରେ ଜରୁରୀକାଳୀନ କଲ୍ ବକ୍ସ, ମୋବାଇଲ୍ ରେଡ଼ିଓ କମ୍ୟୁନିକେସନ୍ ସିଷ୍ଟମ୍, ମେଟେରୋଲଜିକାଲ ଡାଟା ସିଷ୍ଟମ୍, ଭିଡ଼ିଓ ସର୍ଭେଲାନ୍ସ ସିଷ୍ଟମ୍, ଭିଡ଼ିଓ ଇନ୍ସିଡେଣ୍ଟ ଡିଟେକ୍ସନ୍ ସିଷ୍ଟମ୍, ଟ୍ରାଭଲ୍ ଟାଇମ୍ ଏଷ୍ଟିମେସନ ସିଷ୍ଟମ୍ ଓ ସ୍ପିଡ୍ ମନିଟରିଂ ସିଷ୍ଟମ୍ ଖଞ୍ଜାଯିବ। ଏହାର ଇଚ୍ଛାପୁରମ୍ ନିକଟସ୍ଥ ବିଲିପଡ଼ା ଓ ଲକ୍ଷ୍ମୀପୂରମ୍ ନିକଟ ଟୋଲ୍ ପ୍ଲାଜାରେ କଣ୍ଟ୍ରୋଲ୍ ରୁମ୍ ରହିବ।
/sambad/media/post_attachments/wp-content/uploads/2020/03/berhmapur-b-ତ-300x225.jpg)
ଏନ୍ଏଚ୍ଏଆଇ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୬ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବା ଲାଗି ଲକ୍ଷ୍ୟ ରହିଛି। କିନ୍ତୁ କରୋନା କାରଣରୁ କାର୍ଯ୍ୟ ବିଳମ୍ବିତ ହୋଇପାରେ ବୋଲି ଏନ୍ଏଚ୍ଏଆଇ ବିଶାଖାପାଟଣା ଡିଭିଜନର ଡିଜିଏମ୍ ହରେକ୍ରିଷ୍ଣା ଜି. କହିଛନ୍ତି। ଏହି ବ୍ୟବସ୍ଥା ଅପଟିକାଲ୍ ଫାଇବର୍ ନେଟୱର୍କ ଓ ସୋଲାର୍ ସିଷ୍ଟମ୍ ଦ୍ବାରା ପରିଚାଳିତ ହେବ। ଏଥିରେ ସିସିଟିଭି କ୍ୟାମେରା ଦ୍ବାରା ଅଳ୍ପ ଆଲୋକରେ ବି ଜାତୀୟ ରାଜପଥରେ ଚଳାଚଳ କରୁଥିବା ଯାନାବହନର ଭିଡ଼ିଓ ଚିତ୍ର ଉତ୍ତୋଳନ ଓ ସଂରକ୍ଷିତ ହୋଇପାରିବ। ଏନ୍ଏଚ୍ରେ କୌଣସି ଦୁର୍ଘଟଣା ଘଟିଲେ ତ୍ବରିତ ସୂଚନା କଣ୍ଟ୍ରୋଲ ରୁମ୍ରେ ପହଁଞ୍ଚିପାରିବ। ଯାନବାହାନ ବେଗ ମପାଯାଇ ପାରିବ। ତାପମାତ୍ରା, ବାୟୁମଣ୍ଡଳ ଆର୍ଦ୍ରତା, ଜାତୀୟ ରାଜପଥର କେଉଁଠି କେତେ ତାପମାତ୍ରା ଆଦି ଜାଣି ହେବ। ଜାତୀୟ ରାଜପଥର ପ୍ରତି ୨କିମିରେ ଏମ୍ରଜେନ୍ସି କଲ୍ ସିଷ୍ଟମ୍ ଜରିଆରେ ଦୁର୍ଘଟଣା ଘଟିଲେ ଏନ୍ଏଚ୍ର ଜରୁରୀକାଳନୀ ସେବା ଯୋଗାଇବା ଲାଗି ଥିବା କର୍ମଚାରୀଙ୍କୁ ଏହି ବ୍ୟବସ୍ଥା ଦ୍ବାରା ଡକାଯାଇ ପାରିବ। ଏନ୍ଏଚ୍ଏଆଇ ଯେକୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ଏହି ବ୍ୟବସ୍ଥାରେ ତୁରନ୍ତ ସୂଚନା ମିଳିପାରିବ। ଏଥିସହ ତାର ପ୍ରତିକାର ବ୍ୟବସ୍ଥା କରିହେବ। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ଡିଆରଡିଏ ଏବଂ ବ୍ରହ୍ମପୁର ଠାରେ ଦୁଇଟି କଣ୍ଟ୍ରୋଲ ରୁମ୍ କରିବା ଲାଗି ଅନୁରୋଧ କରାଯାଇଛି। କିନ୍ତୁ ତାହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ଡିଜିଏମ୍ ହରେକ୍ରିଷ୍ଣା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/berhampur2.jpg)