ଏମ୍‌ସରେ ମିଳିବ ଅତ୍ୟାଧୁନିକ ଚିକିତ୍ସା : ପେଟ୍‌ ସିଟି ସ୍କାନ୍‌ ସୁବିଧା ଖୁବ୍‌ଶୀଘ୍ର, ୧୦ଟି ଅତ୍ୟାଧୁନିକ ଓଟିରେ ରହିବ ୨୦୦ ଶଯ୍ୟା

ଭୁବନେଶ୍ୱର : ଶରୀରରେ କୌଣସି ରୋଗକୁ ପ୍ରାଥମିକ ପର୍ଯ୍ୟାୟରୁ ଚିହ୍ନଟ କରିବା ଏବଂ ସେଲ୍‌ ଓ ଟିସ୍ୟୁରେ ଦେଖାଯାଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ଚିହ୍ନଟ କରିବାରେ ପେଟ୍‌ ସିଟି ସ୍କାନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ସୁବିଧା ରାଜ୍ୟର କୌଣସି ସରକାରୀ ହସ୍ପିଟାଲରେ ନାହିଁ। ଏହି ପେଟ୍‌ ସିଟି ସ୍କାନ୍‌ ସୁବିଧା ଖୁବ୍‌ ଶୀଘ୍ର ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶିକା ଡା. ବି. ଗୀତାଞ୍ଜଳୀ କହିଛନ୍ତି।

ଆଜି ଭୁବନେଶ୍ୱର ଏମ୍‌ସର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ପେଟ୍‌ ସିଟି ସ୍କାନ୍‌ ସୁବିଧା ନଥିବାରୁ ବହୁ ରୋଗୀ ଘରୋଇ ହସ୍ପିଟାଲକୁ ଯାଉଛନ୍ତି ନଚେତ୍‌ ବାହାର ରାଜ୍ୟକୁ ଯାଉଛନ୍ତି। ଏପରିକି ବହୁ ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ ହୋଇପାରୁନଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ତେଣୁ ଏମ୍‌ସରେ ଏହି ସୁବିଧା ଆରମ୍ଭ କରାଯିବ। ସେହିପରି ୨୦୦ ଶଯ୍ୟା ବିଶିଷ୍ଟ ୧୦ଟି ଓଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ।

ଏମ୍‌ସ, ଭୁବନେଶ୍ୱର ଯେପରି ଓଡ଼ିଶା ବାସୀଙ୍କ ପ୍ରଥମ ପସନ୍ଦର ହସ୍ପିଟାଲ ଭାବେ ପରିଣତ ହେବ ଏବଂ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିବ ସେଥିପାଇଁ ଏଠାରେ ବହୁ ନୂତନ ବିଭାଗ ଖୋଲିବାକୁ ଯାଉଛି। ଏଥିରେ ପ୍ରଥମେ ନେଫ୍ରୋଲୋଜି ବିଭାଗ ଖୋଲିବ। ମେଡିକାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ।

ଏବେ ୧୩ଟି ବିଭାଗରେ ସ୍ନାତକୋତ୍ତର କରିବାର ସୁବିଧା ଥିବାବେଳେ ଜାନୁଆରିରୁ କାର୍ଡିଓଲୋଜି, ନିଉରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ହିମାଟୋଲୋଜି, ବର୍ଣ୍ଣସ ଓ ପ୍ଲାଷ୍ଟିକ୍‌ସ ବିଭାଗରେ ଡିଏମ୍‌ ଏବଂ ଏମ୍‌ସିଏଚ୍‌ ସ୍ନାତକୋତ୍ତର ଆରମ୍ଭ ହେବ। ଏହାଦ୍ୱାରା ଅଧିକ ବିଶେଷଜ୍ଞ ଡାକ୍ତର ଏଠାରୁ ବାହାରିବେ।

ଆସନ୍ତା ଅଗଷ୍ଟ ୧ତାରିଖରୁ ଏମ୍‌ସର ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ୫୫ଟି ସିଟ୍‌ ପୂରଣ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶିକା କହିଛନ୍ତି ଯେ, ଏକ ସଙ୍ଗେ ପ୍ରତିଷ୍ଠା ହୋଇଥିବା ୬ଟି ଏମ୍‌ସ ମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୧୮୨ଜଣ ଫ୍ୟାକଲଟି ଅଛନ୍ତି। ଏମ୍‌ଏସ୍‌ସି ନର୍ସିଂ ଆରମ୍ଭ ହୋଇଯାଇଥିବାବେଳେ ୨୦୦ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜି ଏମ୍‌ସର ୬ଷ୍ଠ ପ୍ରତିଷ୍ଠା ଦିବସରେ ଆଇଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏମ୍‌ସ, ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର, ପ୍ରତିଷ୍ଠାତା ମେଡିକାଲ ସୁପରିନଟେଣ୍ଡେଣ୍ଟ ବ୍ରିଗେଡିୟର ଡା. ଅମ୍ବିକା ମହାନ୍ତି, ପ୍ରତିଷ୍ଠାତା ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଂଜନ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର