୧୫ରେ ଆସିବେ ମୋଦୀ: ଅଢ଼େଇ ଲକ୍ଷ ଲୋକଙ୍କ ସମାବେଶ ପାଇଁ ପ୍ରସ୍ତୁତି

ବଲାଙ୍ଗୀର: ୧୫ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଜିଲ୍ଲା ପ୍ରଶାସନ, ରେଳବାଇ ବିଭାଗ ଓ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମରେ ସରକାରୀ ସହ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ବୁଧବାର ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରବକ୍ତା ପ୍ରଭାସ ପାଣିଗ୍ରାହୀ ଏ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟରରେ ଆସି ବଲାଙ୍ଗୀର ରେଳ ‌ଷ୍ଟେସନ ପରିସରରେ ଥିବା ହେଲିପ୍ୟାଡରେ ପୂର୍ବାହ୍ନ ସାଢ଼େ ଦଶଟାରେ ଅବତରଣ କରିବେ। ସରକାରୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବଲାଙ୍ଗୀର ଷ୍ଟେସନଠାରୁ ବିଛୁପାଲି ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିବାକୁ ଥିବା ସାତଟି ବଗିବିଶିଷ୍ଟ ପ୍ରଥମ ଟ୍ରେନକୁ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିବ‌େ। ଉକ୍ତ ଟ୍ରେନରେ ଯାତ୍ରା କରିବା ପାଇଁ ସାତ ଦିନ ହେଲା ଟିକେଟ ବୁକିଂ ଆରମ୍ଭ ହୋଇଛି। ଏହା ପରେ ପ୍ରଧାନମନ୍ତ୍ରୀ ବିଛୁପାଲି ଷ୍ଟେସନରୁ ଖୋର୍ଧା ଦିଗକୁ ନିର୍ମାଣ ହେବାକୁ ଥିବା ରେଳ ଲାଇନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ସାଢ଼େ ୧୧ଟାରେ। ବଲାଙ୍ଗୀର ଉପକଣ୍ଠ ପଥରଚେପାଠାରେ ହେବାକୁ ଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ସ‌ମ୍ବୋଧନ କରିବେ। ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ଫେରିଯିବେ।

ସମ୍ବନ୍ଧିତ ଖବର