ପ୍ରବଳ ଚାପରେ ମୋଦି ସରକାର

ଏନ୍‌ଡିଏ ତଣ୍ଟିରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା କଣ୍ଟା
ଟିଡିପି, ବିଜେଡି ପରେ ଏବେ ନୀତୀଶ
‘୧୩ ବର୍ଷ ଧରି ଦାବି କରୁଛୁ, ଓହରିନୁ’

ଭୁବନେଶ୍ୱର : ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ରାଜନୀତି ଧୀରେ ଧୀରେ ଜୋର ଧରିଲାଣି। କେନ୍ଦ୍ରରେ ଏନ୍‌ଡିଏ ସରକାର ଅକଳରେ ପଡୁଥିବା ଜାଣି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ ଆରମ୍ଭ କରିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ନିକଟରେ ଏନ୍‌ଡିଏ ହାତ ଛାଡିଛି। ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ପରେ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ର ଉପରେ ଚାପ ସୃଷ୍ଟି ଲାଗି ସଂସଦରେ ଏହି ପ୍ରସଙ୍ଗରେ ଉଠାଯିବ ବୋଲି ଆଜି ପୂର୍ବାହ୍ନରେ ସୂଚନା ଦେଇଥିବା ବେଳେ ଅପରାହ୍ନରେ ବିଧାନସଭାରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବା ଲାଗି ଦଳର ବିଧାୟକମାନଙ୍କୁ ପ୍ରବର୍ତାଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜମିବା ଆଗରୁ ହଠାତ୍‌ ଏନ୍‌ଡିଏର ଅନ୍ୟତମ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗକୁ ସେ ଛାଡିନାହାନ୍ତି ବୋଲି ରୋକ୍‌ଠୋକ୍‌ ଜଣାଇଲେଣି। ନୀତୀଶ ଆଜି କହିଛନ୍ତି, ୧୩ ବର୍ଷ ତଳେ ସେ ପ୍ରସଙ୍ଗ ଉଠାଇଥିଲେ। ସେ ଗୋଟିଏ ସେକେଣ୍ଡ ପାଇଁ ବି ଏହି ପ୍ରସଙ୍ଗରୁ ଓହରିନାହାନ୍ତି।

୨୦୦୫ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବି ସଂପର୍କରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ବର୍ଷକ ପରେ ବିହାର ବିଧାନସଭାରେ ମଧ୍ୟ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପରେ ନିରନ୍ତର ଭାବେ ସେ ଏହି ଦାବିକୁ ଦୋହରାଇ ଆସୁଛନ୍ତି।

ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡିକୁ କଟାକ୍ଷ କରି ନୀତୀଶ କହିଛନ୍ତି ଯେ ଯେଉଁମାନେ ଏହି ପ୍ରସଙ୍ଗ ସହିତ କେବେ ବି ନଥିଲେ, ସେମାନେ ଏବେ ତାଙ୍କର ନିରବତା ନେଇ ପ୍ରଶ୍ନ କରୁଛନ୍ତି। ପଞ୍ଚଦଶ ଅର୍ଥ କମିସନଙ୍କ ସାମ୍ନାରେ ଏହି ଦାବି ରଖାଯିବ ବୋଲି ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ସ୍ପଷ୍ଟ କରିଛନ୍ତି।

ନୀତୀଶ ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ର ସରକାର ଚାପଗ୍ରସ୍ତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏପରିକି ଆଗକୁ ନୀତୀଶ କେନ୍ଦ୍ର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ। କାରଣ, ଟିଡିପିର ନିଷ୍ପତ୍ତି ପରେ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏ ପ୍ରସଙ୍ଗରେ ନୀତୀଶକୁ ଘେରିବା ଆରମ୍ଭ କରିଛନ୍ତି। ନୀତୀଶ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜ୍ୟ ସ୍ୱାର୍ଥକୁ ବଳି ଚଢାଉଛନ୍ତି ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ନିରବ ରହୁଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗ ଏଭଳି ଦାନା ବାନ୍ଧୁଛି ଯେ ବାଧ୍ୟହୋଇ ନୀତୀଶ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏବେ ଯଦି ତେଜସ୍ୱୀ ଏହାକୁ ନେଇ ଆଗକୁ ବଢିବେ, ତେବେ ନୀତୀଶଙ୍କୁ ଭୋଟ ବ୍ୟାଙ୍କ ରଖିବା ଲାଗି ଚନ୍ଦ୍ରବାବୁଙ୍କ ରାସ୍ତା ଆପଣାଇବାକୁ ପଡିପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର