ମୋଦୀଙ୍କ ଭାଷଣର ମୋବାଇଲ ଲାଇଭ୍‌ ନିର୍ବାଚନ ସର୍ତ୍ତାବଳୀର ଉଲ୍ଲଂଘନ: ବିଜେଡି

ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଫେରାଦ

0

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାକୁ ନିର୍ବାଚନୀ ପ୍ରଚାରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ମୋବାଇଲ ଭଏସ ମେସେଜ୍ ଜରିଆରେ ସିଧା ପ୍ରସାରଣ କରି ନିର୍ବାଚନ ସର୍ତ୍ତାବଳୀକୁ ବିଜେପି ଉଲଂଘନ କରିଛି। ବିନା ଅନୁମୋଦନରେ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରେ ମୋଦୀଙ୍କ ଭାଷଣକୁ ଆଜି ବିଜେପି ପକ୍ଷରୁ ସିଧା ପ୍ରସାରଣକୁ ବିରୋଧ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି, ନିର୍ବାଚନ ସର୍ତ୍ତାବଳୀର ଧାରା ୨୧.୨.୧୩ରେ ବଲକ୍ ଏସଏମଏସ୍ ଏବଂ ଭଏସ୍ ମେସେଜ୍ ଜରିଆରେ ନିର୍ବାଚନ ପ୍ରଚାର ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି। ଏଥିପାଇଁ ମିଡିଆ ସାର୍ଟିଫିକେସନ୍ ଆଣ୍ଡ୍ ମନିଟରିଂ କମିଟି (ଏମସିଏମସି)ର ପ୍ରାକ୍-ପ୍ରମାଣ ପତ୍ର ନେବା ଦରକାର। ମାତ୍ର ବିନା ପ୍ରାକ୍-ପ୍ରମାଣପତ୍ରରେ ବିଜେପି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ମୋବାଇଲ ନମ୍ବର ୯୩୪୫୦୧୪୫୦୧ରୁ ଭଏସ ମେସେଜିଂ କଲ୍ ଦ୍ବାରା ଲାଇଭ ପ୍ରସାରଣ କରିଥିଲା। ଏହି ନମ୍ବରକୁ ଯିଏ କେହି କଲ୍ କଲେ ମୋଦୀଙ୍କ ଲାଇଭ ଭାଷଣ ଶୁଭୁଥିଲା। ନିର୍ବାଚନ ସର୍ତ୍ତାବଳୀ ଉଲଂଘନ କରିଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳାହାଣ୍ଡି ଲୋକସଭା ଆସନ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଜଣାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତର ସହ ବିଚାର କରିବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ମୁଖପାତ୍ର ସୁଲତା ଦେଓ, ମୁଖପାତ୍ର ଲେନିନ ମହାନ୍ତିଙ୍କ ସମେତ ମୁଖପାତ୍ର ସୁଲୋଚନା ଦାସ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାରଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.