ମୋଦିଙ୍କ ୨ ଘଣ୍ଟା ୪୬ ମିନିଟର ଓଡ଼ିଶା ଗସ୍ତ

ଭୁବନେଶ୍ୱର : କେନ୍ଦ୍ରର ବିଜେପି ନେତୃତାଧୀନ ଏନ୍‌ଡିଏ ସରକାର ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଟକରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇ ଫେରି ଯାଇଛନ୍ତି। ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି କଟକର ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆଜି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା। ମୋଦି ତାଙ୍କର ତୋଫାନି ଗସ୍ତରେ ଓଡ଼ିଶାରେ ୨ ଘଣ୍ଟା ୪୬ ମିନିଟ ରହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୩ଟା ୨୫ରେ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେ ବାୟୁସେନାର ରାଜ୍‌ କମଲ ବିମାନରେ ଆସି ଏକ ଘଣ୍ଟା ବିଳମ୍ବରେ ଅର୍ଥାତ ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନବନ୍ଦରରେ ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ସଙ୍ଗୀତା ସିଂହଦେଓ, ବିଜେପି ପ୍ରବକ୍ତା ଗୋଲକ ମହାପାତ୍ର ଓ ବିଜେପି ନେତା କୃଷ୍ଣ ଜଗଦ୍ଦେବ ପ୍ରମୁଖ ସ୍ୱାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଅଭିମୁଖେ ଯାଇଥିଲେ। ସେଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ପୁଣି ହେଲିକପ୍ଟରରେ ଭୁବନେଶ୍ୱର ଫେରି ଆସିଥିଲେ। ସଂଧ୍ୟା ୭ଟା ୦୩ରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ରାଜ୍ୟପାଳ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ସଂଧ୍ୟା ୭ଟା ୧୧ରେ ପ୍ରଧାନମନ୍ତ୍ରୀ ରାଜକମଲ ବିମାନରେ ନୂଆଦିଲ୍ଲୀ ଫେରି ଯାଇଥିଲେ।

କଟକରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସରିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ତେଣୁ ସେ ହେଲିକପ୍ଟର୍‌ରେ ଭୁବନେଶ୍ୱର ନ ଫେରି ସଡ଼କ ପଥରେ ଆସିବେ ବୋଲି କୁହାଗଲା। ଏଥି ପାଇଁ ତତ୍‌କ୍ଷଣାତ୍‌ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ରାସ୍ତା ସାରା ପୁଲିସ୍‌ ଛାଉଣି ହୋଇଯାଇଥିଲା। କିଛି ଗୁରୁତ୍ୱପୂର୍ଣ୍ଣ ଛକକୁ ପୁଲିସ୍‌ ସିଲ୍‌ କରି ସେପଟେ ଯାତାୟତ ବନ୍ଦ କରିଦେଇଥିଲା। ରାସ୍ତା ସାରା ପୁଲିସ୍‌ ଗାଡ଼ି ଚକ୍କର କାଟିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସରିଲା ପରେ ସେ ସିଧା ହେଲିପ୍ୟାଡ୍‌ ଯାଇଥିଲେ। ସେଠାରୁ ହେଲିକପ୍ଟର୍‌ରେ ଭୁବନେଶ୍ୱର ଫେରିଥିଲେ। ଏହା ପରେ ରାସ୍ତାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯାଇଥିଲା।

ସମ୍ବନ୍ଧିତ ଖବର