‘ମୋମୋ ମୃତ୍ୟୁ’କୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ୱର: ବର୍ତ୍ତମାନ ‘ମୋମୋ ମୃତ୍ୟୁ’ ନେଇ ବିଶ୍ୱରେ ଆତଙ୍କ ଦେଖାଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶନିବାର ଆଡଭାଇଜରି ଜାରି କରାଯାଇଛି। କ୍ରାଇମବ୍ରାଞ୍ଚ କହିଛି, ଆପଣଙ୍କ ହ୍ଵାଟସ୍‌ଅପ୍‌ ନମ୍ବରକୁ ଅଜଣା ଲିଙ୍କ୍‌ ଆସିଲେ ଡିଲିଟ୍‌ କରନ୍ତୁ। ଅଜଣା ନମ୍ବରରୁ ମେସେଜ ଆସିଲେ ପ୍ରତିଉତ୍ତର ଦିଅନ୍ତୁ ନାହିଁ। ଗେମ ଖେଳିବାକୁ ମେସେଜ ଆସିଥିବା ନମ୍ବରକୁ ବ୍ଲକ କରି ଦିଅନ୍ତୁ।

ମୋମୋ ଗେମ ଠାରୁ ଦୂରରେ ରହିବା ପାଇଁ ଅଭିଭାବକଙ୍କୁ ସତର୍କ ରହିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି। ନିଜ ପିଲାଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ସେହିଭଳି ପିଲାଙ୍କ ଚାଲିଚଳନ ଓ ଗତିବିଧିକୁ ଠିକରେ ଅନୁଧ୍ୟାନ କରନ୍ତୁ। ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ଇମେଲ, ଚେକ କରନ୍ତୁ।

ସୂଚନାଯୋଗ୍ୟ, ମୋମୋ ଗେମ ଖେଳି ଭୁବନେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜର ୩ୟ ବର୍ଷର କମ୍ପ୍ୟୁଟର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି। ରାଉରକେଲା ରେଲେଓ୍ଵ କଲୋନି ନିବାସୀ ଏସ୍‌. ଚେତନ କୁମାର ଗତ ଅଗଷ୍ଟ ୨୦ରେ ଟ୍ରେନ୍‌ରେ ଚେନ୍ନାଇ ଚାଲି ଯାଇଥିଲେ। ସେଠାରେ ସେ ଅଗଷ୍ଟ ୨୨ରେ ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ୬ ତାଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୋମୋ ଗେମ୍‌ର ପ୍ରଭାବରେ ସେ ଭୁବନେଶ୍ୱରରୁ ଚେନ୍ନାଇ ଆସି ଆତ୍ମହତ୍ୟା କରିଛନ୍ତି ବୋଲି ଚେନ୍ନାଇ ପୁଲିସକୁ ତଥ୍ୟ ମିଳିଥିଲା।

ସମ୍ବନ୍ଧିତ ଖବର