୩ କୋଟି ଟଙ୍କା, ସାଢ଼େ ୩ କୋଟିର ମଦ ଜବତ

ଭୁବନେଶ୍ବର : ଆସନ୍ତା ୨୯ ତାରିଖରେ ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ତଥା ଶେ‌ଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ପାଇଁ ୫୨ଜଣ ଏବଂ ୪୨ ବିଧାନସଭା ଆସନ ନିମନ୍ତେ ୩୪୬ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନରେ ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ଦ୍ବାରା ୨ କୋଟି ୯୩ ଲକ୍ଷ ୧୯ ହଜାର ୭୫୦ ନଗଦ ଟଙ୍କା ଜବତ ହୋଇଥିବା ବେଳେ ୩ କୋଟି ୫୦ ଲକ୍ଷ ୮ ହଜାର ୯୨୨ ଟଙ୍କା ମୂଲ୍ୟର ମଦ ଜବତ ହୋଇଛି।

ଶେଷ ପର୍ଯ୍ୟାୟର ନିର୍ବାଚନ ୬ଟି ଲୋକସଭା ଆସନ ଯଥା: କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ଜଗତ୍‌ସିଂହପୁରରେ ଅନୁଷ୍ଠିତ ହେଉଛି। ଏସବୁ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ ୫୨ଜଣ ପ୍ରାର୍ଥୀ। ଏ ସମସ୍ତ ଆସନ ଅଧୀନରେ ଥିବା ବିଧାନସଭା ଆସନଗୁଡ଼ିକ ପାଇଁ ୩୧୧ଜଣ ପୁରୁଷ, ୩୪ଜଣ ମହିଳା ପ୍ରାର୍ଥୀ ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩୪୬ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପର୍ଯ୍ୟାୟର ନିର୍ବାଚନରେ ୧୦୭୯୨ ବୁଥ୍‌ରେ ୪୯,୦୮,୫୭୫ଜଣ ପୁରୁଷ, ୪୬,୦୫,୬୯୪ଜଣ ମହିଳା ଓ ୬୧୫ଜଣ ତୃତୀୟ ଲିଙ୍ଗ ମତଦାତାଙ୍କୁ ମିଶାଇ ମୋଟ ୯୫ ଲକ୍ଷ ୧୪ ହଜାର ୮୮୩ଜଣ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ଆଜିସୁଦ୍ଧା ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ୧୩୨୨୮ଟି ଜାମିନ ବିହୀନ ପରୱାନା। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଅଟକ ରହିଛନ୍ତିି ୫୪୨୦୪ଜଣ ସନ୍ଦିଗ୍ଧ ବ୍ୟକ୍ତି। ୫୧୬୫ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ହୋଇଛି। ଲାଇସେନ୍ସ ନଥିବା ୨୨୮ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ବି ହୋଇଛି। ଆଜି ସୁଦ୍ଧା ରାଜ୍ୟର ଆଦର୍ଶ ଆଚରଣ ବିଧି ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୦ ଲକ୍ଷ ୪୩ ହଜାର ୫୭୩ଟି ହୋର୍ଡିଂ, େପାଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବି ବେଆଇନ୍‌ ଭାବେ ଲାଗିଥିବା ୨ ଲକ୍ଷ ୬୧ ହଜାର ୮୭୬ଟି ହୋର୍ଡିଂ, େପାଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି।

ସମ୍ବନ୍ଧିତ ଖବର