ରେଳ ବଜେଟରେ ଓଡ଼ିଶା : ଟଙ୍କା ଅଛି; ଚମକ ନାହିଁ

ଯାତ୍ରୀମାନଙ୍କ ସୁବିଧା ପାଇଁ ଏଥର ବଜେଟ୍‌ରେ ଫୋକସ୍‌ କରାଯାଇଛି। ଏହି କ୍ରମରେ ଓଡ଼ିଶା ବିଭିନ୍ନ ରେଳଷ୍ଟେସନ ଆଦିର ବିକାଶ ଲାଗି ୭୫୦ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଆକଳନ କହୁଛି, ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ଓ ଫୁଟ୍‌ ଓଭରବ୍ରିଜ ନିର୍ମାଣ ବାବଦରେ ୩୫୦ କୋଟି ଖର୍ଚ୍ଚ ହେବ। ଷ୍ଟେସନର ବିକାଶ, ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ଲାଗି ୨୦୦ କୋଟି ଟଙ୍କା ବିନିଯୋଗ ହେବ ଓ ଷ୍ଟେସନରେ ଲିଫ୍‌ଟ ଓ ଏସ୍କାଲେଟର ଲଗାଇବା ବାବଦରେ ୨୦୦ କୋଟି ଖର୍ଚ୍ଚ ହେବ। ହେଲେ ଚଳିତ ବଜେଟ୍‌ରେ ଏ ବାବଦରେ ମାତ୍ର ୧୦୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଡିଜେଲ୍‌ ଇଞ୍ଜିନକୁ ବାଏ ବାଏ
୨୦୧୮-୧୯ ବର୍ଷରେ ପୂର୍ବତଟ ଅଧୀନସ୍ଥ ସମସ୍ତ ରେଳପଥରେ ବିଦ୍ୟୁତ ଟ୍ରେନ୍‌ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଦ୍ୟୁତକରଣରେ ବାକିଥିବା ରେଳପଥ ଲାଗି ଚଳିତ ବଜେଟ୍‌ରେ ଅର୍ଥ ବରାଦ କରିଛନ୍ତି କେନ୍ଦ୍ର ସରକାର। ଏହି ଲକ୍ଷ୍ୟ ଯଦି ହାସଲ ହୁଏ, ତେବେ ଓଡ଼ିଶାରେ ଆଉ ଡିଜେଲ୍‌ ଚାଳିତ ଇଞ୍ଜିନ ଗଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖୋର୍ଧା-ବଲାଙ୍ଗୀର ରେଳପଥକୁ ମିଶାଇ ଏଭଳି ପାଖାପାଖି ୪୬୦ କିଲୋମିଟର ରେଳପଥ ରହିଛି, ଯେଉଁଠି ବିଦ୍ୟୁତକରଣ ବାକି ଅଛି। ଏସବୁ ପାଇଁ ପାଖାପାଖି ୫୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି।

ଭୁବନେଶ୍ୱର ରେଳଷ୍ଟେସନର ବିକାଶ ହେବ
ଭୁବନେଶ୍ୱର ରେଳଷ୍ଟେସନର ବିକାଶ ଲାଗି ରାଜ୍ୟ ସରକାର ଅର୍ଥ ବ୍ୟୟ କରିବେ। ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ସମାନ୍ତରାଳ ଭାବେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି, ଏହି ସମୟ ମଧ୍ୟରେ ୨ଟି ଲାଇନ୍‌ ଓ ଗୋଟିଏ ପ୍ଲାଟ୍‌ଫର୍ମର ବିକାଶ କରିବେ। ଏ ନେଇ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ, ସବୁଠାରୁ ବଡ଼ କଥା ହେଲା, ଭୁବନେଶ୍ୱର ନୂଆ ଷ୍ଟେସନ ଓ ମଞ୍ଚେଶ୍ୱର ମଧ୍ୟରେ ଏକ ସଂଯୋଗୀକରଣ ରେଳପଥ ତିଆରି ହେବ। ଏସବୁ କାମ ପାଇଁ ବଜେଟ୍‌ରେ ୨୧୫ କୋଟି ଟଙ୍କା ବରାଦ କରାଯାଇଛି। ଫଳରେ ରେଳଡ଼ବା ମଞ୍ଚେଶ୍ୱରକୁ ସଫା, ମରାମତି ପାଇଁ ଆସିପାରିବ। ବିଶେଷକରି ଦକ୍ଷିଣାଭିମୁଖୀ ଟ୍ରେନ୍‌ ଗୁଡିକ ଭବିଷ୍ୟତରେ ନୂଆ ଭୁବନେଶ୍ୱରରୁ ହିଁ ଚଳାଚଳ ଆରମ୍ଭ କରିବ। ଏହାଦ୍ୱାରା ଉଭୟ ଷ୍ଟେସନର ଗୁରୁତ୍ୱ ବୃଦ୍ଧି ପାଇବ ଓ ବିକଶିତ ହେବ। ତେବେ ପ୍ରକଳ୍ପ ଚିହ୍ନଟ କାର୍ଯ୍ୟ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସ୍ଥିର କରିବେ।

ପୁରୁଣା ପ୍ରକଳ୍ପ ସାରିବା ମୁଖ୍ୟ ଲକ୍ଷ୍ୟ
ଆସନ୍ତା ଆର୍ଥିକ ବର୍ଷ ଲାଗି ଆଗତ ରେଳବଜେଟ୍‌ରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଘୋଷଣା କ୍ଷେତ୍ରରେ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେଇନାହାନ୍ତି। ପୂର୍ବତଟ ରେଳପଥର ଯୁକ୍ତି ହେଉଛି, ପୂର୍ବରୁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ,ଅଧାପନ୍ତରିଆ ଭାବେ ପଡିରହିଛି। କାମ ଆରମ୍ଭ ହୋଇପାରୁନାହିଁ। ଏଣୁ ଏଥର ବଜେଟ୍‌ରେ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ କରିବା ଉପରେ ଜୋର ଦିଆଯାଇଛି ଓ ଏଥିପାଇଁ ଆବଶ୍ୟକ ବ୍ୟୟ ବରାଦ ହୋଇଛି। ରେଳ ବିକାଶ ନିଗମ ଲିମିଟେଡ୍‌କୁ ମଧ୍ୟ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ସମୀକ୍ଷା ବୈଠକରେ ତାଗିଦ୍‌ କରିଛନ୍ତି।

ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ବାଧକ
ଖୋର୍ଧା-ବଲାଙ୍ଗୀର ରେଳପଥରେ ନୂଆଗାଁ-ନୟାଗଡ ମଧ୍ୟରେ ୪ କିଲୋମିଟର ରାସ୍ତାର ଜଙ୍ଗଲ ଜମି ଅନୁମତି ମିଳିନାହିଁ ବୋଲି ପ୍ରକଳ୍ପ ଆଗେଇ ପାରୁନାହିଁ। ସେହିଭଳି ନୂଆଗାଁ-ଦଶପଲ୍ଲା ମଧ୍ୟରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଲ ଜମି ଅନୁମତି ମିଳିପାରୁନାହିଁ। ଅନ୍ୟପକ୍ଷରେ ଆର୍ଥିକ ବର୍ଷ ସରିବାକୁ ବସିଲାଣି। ମାତ୍ର ବଜେଟ୍‌ରେ ବ୍ୟୟ ବରାଦ ସତ୍ତ୍ୱେ କଳାହାଣ୍ଡିର ନର୍ଲାରେ ଇଲେକ୍ଟ୍ରେିକ୍‌ ଇଞ୍ଜିନ୍‌ ରିପେୟାରିଂ ଓ୍ଵାର୍କସପ୍‌ କାମ ଆରମ୍ଭ ହୋଇପାରିଲାନାହିଁ। କେନ୍ଦ୍ର ସରକାର ଆଳ ଦେଖାଇଛନ୍ତି ଯେ ଏହି ପ୍ରକଳ୍ପ ଲାଗି ଜମି ମିଳିଲାନି ବୋଲି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ରେଳବାଇ ମନ୍ତ୍ରାଳୟ ସକ୍ଷମ ହେଉନାହିଁ।

ଖୋର୍ଧାରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ
ଖୋର୍ଧାରୋଡ଼ରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ସେହିଠାରୁ ଏହି ଡିଭିଜନ ଅନ୍ତର୍ଗତ ୯୯ଟି ରେଳଷ୍ଟେସନର ସମସ୍ତ କାରବାର ନିୟନ୍ତ୍ରିତ ହେବ। ଏପରିକି ରେଳଷ୍ଟେସନ ମାନଙ୍କରେ ହେଉଥିବା ଘୋଷଣା ଆଦି ମଧ୍ୟ ନିୟନ୍ତ୍ରଣ ହେବ। ଏଥିପାଇଁ କିଛି ସ୍ଥାନରେ ଆଧୁନିକୀକରଣ କରାଯିବ। ମୋଟ ୬୬ କୋଟି ଟଙ୍କା ଏ କ୍ଷେତ୍ରରେ ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଏଥର ବଜେଟ୍‌ରେ ୩୧କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ତାଳଚେର-ଗୋପାଳପୁର ଗଞ୍ଜାମ ପାଇଁ ସର୍ଭେ ସମାପ୍ତ
୨୦୦କିମି ଦୈର୍ଘ୍ୟ ବିଶିଷ୍ଟ ତାଳଚେର-ଗୋପାଳପୁର ଗଞ୍ଜାମ ରେଳ ପ୍ରକଳ୍ପ ପାଇଁ ଇଞ୍ଜିନିୟରିଂ ଓ ଟ୍ରାଫିକ୍‌ ସର୍ଭେ ସମାପ୍ତ ହୋଇଥିବା ଆଜି ପୂର୍ବତଟ ରେଳର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ସଂଯୋଗ ହେବାକୁ ଥିବା ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସର୍ଭେ ଆଦି କାର୍ଯ୍ୟ ସମାପ୍ତ ହୋଇଛି। ଏନେଇ ୫୦ଲକ୍ଷଟଙ୍କାର ଖର୍ଚ୍ଚ ଦାବି ଥିବା ବେଳେ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପରେ ଏହି ପ୍ରକଳ୍ପକୁ ନେଇ ସମୀକ୍ଷା କରାଯିବ। ୧୪%ରୁ ଅଧିକ ଆର୍‌ଓଆର୍‌ ହେଲେ ଏହି ପ୍ରକଳ୍ପ କରାଯିବା ନେଇ ସ୍ଥିର କରାଯିବ। ଏନେଇ ପୂର୍ବତଟ ରେଳ ପକ୍ଷରୁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି। ସେହପରି ବାଘୁଆପଲ୍ଲୀ ଏବଂ ସିଙ୍ଗାପୁର ରୋଡ଼ ମଧ୍ୟରେ ହେବାକୁ ଥିବା ଦୁଇଟି ଫ୍ଲାଏଓଭର୍‌ ନିର୍ମାଣ ପାଇଁ ମଧ୍ୟ ପ୍ରାଥମିକ ଟ୍ରାଫିକ୍‌ ସର୍ଭେ ପାଇଁ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସମ୍ବଲପୁର-ତାଳଚେର ଦୋହରାକରଣ ପାଇଁ ୨୨୦କୋଟି
ଚଳିତ ବଜେଟରେ ୧୭୪ କିମି ବିଶିଷ୍ଟ ସମ୍ବଲପୁର-ତାଳଚେର ପ୍ରକଳ୍ପ ନିମନ୍ତେ ୨୨୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ଝାରସୁଗୁଡ଼ା-ରେଙ୍ଗାଳି, ସମ୍ବଲପୁର-ରେଙ୍ଗାଳି, ଖୋର୍ଧା-ବାରାଙ୍ଗ (ତୃତୀୟ ଲାଇନ୍‌),କଟକ-ବାରଙ୍ଗ ଦୋହରାକରଣ ପାଇଁ ମଧ୍ୟ ବଜେଟରେ ଅର୍ଥ ବରାଦ କରାଯାଇଛି। ଡେଲାଙ୍ଗ-ପୁରୀ, ସମ୍ବଲପୁର-ଟିଟିଲାଗଡ଼, ବାଂଶପାଣି-ଦୈତାରୀ-ଟମକା-ଯଖପୁରା, ଭଦ୍ରକ-ନିର୍ଗୁଣ୍ଡି, ବୃନ୍ଦାମାଲ-ଝାରସୁଗୁଡ଼ା-ଫ୍ଲାଏଓଭର୍‌ ସଂଯୋଗୀକରଣ, ରାଜାଆଠଗଡ଼-ବାରଙ୍ଗ, କୋରାପୁଟ-ସିଙ୍ଗାପୁର ରୋଡ଼ ଆଦି ପ୍ରକଳ୍ପ ଲାଗି ବ୍ୟୟ ବରାଦ ହୋଇଛି।

ସମ୍ବନ୍ଧିତ ଖବର