ଠକେଇ ଟଙ୍କା ଫେରାଇବ ବ୍ୟାଙ୍କ

୭ ପୃଷ୍ଠାର ପରାମର୍ଶ ଜାରି କଲା କ୍ରାଇମ୍‌ବ୍ରାଞ୍ଚ

କଟକ : ଅନ୍‌ଲାଇନ୍‌ରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ହଡପ୍‌ ହେଲେ ୩ ଦିନ ଭିତରେ ଖାତା ଥିବା ବ୍ୟାଙ୍କରେ ଗ୍ରାହକ ପ୍ରଥମେ ଅଭିଯୋଗ କରିପାରିବେ। ଯଦି ଗ୍ରାହକ ନିଜର କାର୍ଡ ନମ୍ବର, କାର୍ଡର ସମୟ ଅବଧି, ସିଭିସି ନମ୍ବର, ଓଟିପି ନମ୍ବର ସାଇବର ଅପରାଧୀଙ୍କୁ ଦେଇ ନଥିବେ, ତେବେ ସମସ୍ତ ଟଙ୍କା ବ୍ୟାଙ୍କ ମାଧ୍ୟମରେ ଗ୍ରାହକ ଫେରସ୍ତ ପାଇବେ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ତିଆ(ଆର‌୍‌ବିଆଇ)ର ଏଭଳି ନିୟମାବଳୀ ଥିବା ସତ୍ତ୍ବେ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷ ତାହା ପାଳନ କରୁନାହାନ୍ତି। କ୍ରାଇମ୍‌ବ୍ରାଞ୍ଚ ଉକ୍ତ ବ୍ୟାଙ୍କଗୁଡ଼ିକୁ ତାଗିଦ କରିଥିବା ବେଳେ ଗ୍ରାହକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଏକ ପରାମର୍ଶବଳୀ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀ ଓ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ତିଆ ପକ୍ଷରୁ ୨୦୧୭ ଜୁଲାଇ ୬ ତାରିଖରେ ଠକେଇର ଶିକାର ହୋଇଥିବା ଗ୍ରାହକମାନେ ଠକେଇ ସ˚କ୍ରାନ୍ତରେ ନିଜ ବ୍ୟାଙ୍କରେ ପ୍ରଥମେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ବ୍ୟାଙ୍କରେ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍‌ କାର୍ଯ୍ୟକାରୀ କରିବାକୁ ଆର‌୍‌ବିଆଇ ପକ୍ଷରୁ କୁହାଯାଉଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ଅଯଥାରେ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ ଏବ˚ ପୁଲିସ ଥାନାରେ ଠକେଇ ମାମଲାର ଚାପ ବଢ଼ୁଛି। ନିୟମ କାର୍ଯ୍ୟକାରୀ କରିବାକୁ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟର ସମସ୍ତ ବ୍ୟାଙ୍କଗୁଡ଼ିକୁ ତାଗିଦ କରିଛି। ଗଲା ଜୁନ ୨୪ ତାରିଖରେ ଆଉ ଏକ ନିର୍ଦ୍ଦେଶନାମା ଆର‌୍‌ବିଆଇ ଜାରି କରିଛି। ଅର୍ଥ ହେରଫେର ଘଟଣାରେ ଆର‌୍‌ବିଆଇ କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ https://cms.rbi.org.in/cms/IndexPage.aspx?aspxerrorpath=/cms/cms/indexpage.aspx ରେ ଅନଲାଇନ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଏ ସ˚କ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସମସ୍ତ ବ୍ୟାଙ୍କ ଅଧିକାରୀ ଏବ˚ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଜାରି ନିର୍ଦ୍ଦେଶାବଳିରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ନିଜର ବ୍ୟାଙ୍କ, ଇନକମ ଟ୍ୟାକ୍ସ, ଇନ୍‌ସ୍ୟୁରାନ୍ସ ଏକାଣ୍ଟର ତଥ୍ୟ, ଫୋନ, ଇ-ମେଲ୍‌ ମେସେଜ ମାଧ୍ୟମରେ ନଦେବାକୁ ପରାମର୍ଶ ଦିଆଯାଇଛି। ଇଣ୍ଟରନେଟ୍‌ କିମ୍ବା କୋର ବ୍ୟାଙ୍କି ନଥିବା ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ସୁରକ୍ଷିତ ନୁହେଁ। ମାଗଣା ଵାଇ ଫାଇ ଜୋନ୍‌ରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଅନୁଚିତ। ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ କୌଣସି ସନ୍ଦେହଜନକ ଅର୍ଥ କାରବାର ହେଲେ ତୁରନ୍ତ ବ୍ୟାଙ୍କ ଏବ˚ ଥାନାରେ ଲିଖିତ ଅଭିଯୋଗ କରିବାକୁ କହିଛି କ୍ରାଇମ୍‌ବ୍ରାଞ୍ଚ।

ନାବାଳକ ପିଲାଙ୍କ ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ। ଘରେ ପିଲାମାନେ ମୋବାଇଲ୍‌ କିମ୍ବା କମ୍ପ୍ୟୁଟରରେ କେଉଁ େଵବ୍‌ସାଇଟ୍‌ ଦେଖୁଛନ୍ତି, ପରିବାର ଲୋକେ ସେଥିପ୍ରତି କଡ଼ା ନଜର ରଖିବାକୁ କୁହାଯାଇଛି। ସୋସିଆଲ୍‌ ମିଡିଆରେ କୌଣସି ଅଜଣା ଲିଙ୍କ୍‌ ଖୋଲିବା ଅନୁଚିତ। ଏଥିରେ ଭାଇରସ ଥାଇପାରେ। ଭାଇରାସ ମାଧ୍ୟମରେ ତଥ୍ୟ ଚୋରି କରିବାର ଆଶଙ୍କା ରହିଛି। ଏଥିପ୍ରତି ବ୍ୟାଙ୍କ ଗ୍ରାହକ ଦୃଷ୍ଟି ଦେବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶାବଳୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର