ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଲାଗିଛି ଟିଟୋର ଟଙ୍କା, ଜେରା ବେଳେ ଜାଣିଲା ଏସଟିଏଫ୍‌

ଭୁବନେଶ୍ୱର: ଓଲିଉଡ୍‌ରେ ଲାଗିଛି ଗ୍ୟାଙ୍ଗ୍‌ଷ୍ଟାର ଟିଟୋର ଟଙ୍କା! ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ସ୍ପେଶିଆଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ରିମାଣ୍ଡରେ ଥାଇ ଜେରା ବେଳେ ଉପରୋକ୍ତ ତଥ୍ୟ ପ୍ରକାଶ ପାଇଛିି। ପୁଲିସ ସୂତ୍ର ଅନୁସାରେ, ଗ୍ୟାଙ୍ଗଷ୍ଟାର ଟିଟୋ ତା’ର ଜଣେ ସଂପର୍କୀୟ ଭାଇ ମାଧ୍ୟମରେ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ଅର୍ଥ ଲଗାଇଥିବା ସାମ୍ନାକୁ ଆସିଛି। ଦକ୍ଷିଣୀ ନିର୍ଦ୍ଦେଶକ କିରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ବିଶ୍ୱନାଥ’ ଏଚ୍‌ଏମ୍‌ଟି ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହେଉଛି। ଜବିରୁଦ୍ଦିନ ଏହାର ପ୍ରଯୋଜନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ପ୍ରଯୋଜକ ଜବିରୁଦ୍ଦିନ୍‌ ଓ ନିର୍ଦ୍ଦେଶକ କିରନ୍‌ ପୂର୍ବରୁ ସାଉଥ୍‌ ସିନେମାରେ କାମ କରି ସାରିଛନ୍ତି, ଏହା ସେମାନଙ୍କର ପ୍ରଥମ ଓଡ଼ିଆ ଫିଲ୍ମ।

telegraphindia.com

ଫେବୃଆରି ୫ ତାରିଖ ଦିନ ‘ବିଶ୍ୱନାଥ’ର ମହୁରତ ଭୁବନେଶ୍ୱରର ହୋଟେଲ୍‌ ମାରିଅନ୍‌ରେ ଅନୁଷ୍ଠିତ ହୋଇଥିଲା। ସମ୍ବିତ୍‌ ଓ ସମ୍ଭାବନା ଅଭିନୀତ ‘ବିଶ୍ୱନାଥ’ର ସୁଟିଂ ଫେବୃଆରି ୨୬ରେ ସୁଟିଂ ଆରମ୍ଭ ହୋଇଥିଲା। ସୂଚନା ମୁତାବକ ଏହାର ୭୦ ପ୍ରତିଶତ ସୁଟିଂ ଶେଷ ହୋଇଥିବା ବେଳେ ଗଣେଶ ପୂଜାକୁ ଏହା ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଟିଟୋର ଗିରଫଦାରୀ ଏ ନେଇ ସନ୍ଦେହ ସୃଷ୍ଟି କରିଛି। ଅତୀତରେ ଚିଟଫଣ୍ଡ ଲିଙ୍କ ନେଇ ବିବାଦ ଘେରକୁ ଆସିଥିବା ଓଲିଉଡ୍‌ ସହ ଏବେ ଗ୍ୟାଙ୍ଗଷ୍ଟାର ଲିଙ୍କ୍‌ ରହିଥିିବା ଜଣାପଡ଼ିଛି। ଟିଟୋର ଏହି ବୟାନ ପରେ ଫିଲ୍ମ ନିର୍ମାଣ ଉପରେ କଟକଣା ଲାଗିପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର