ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା : କିଏ ଫେରାଇଲା ଟଙ୍କା?, ର‍୍ୟାକେଟ୍‌ରେ କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସ ଗିରଫ ହୋଇ ଏବେ ଅନୁଗୁଳ ଜେଲ୍‌ ହାଜତରେ ରହିଛନ୍ତି। ଟଙ୍କା ହଡ଼ପ ପାଇଁ ଯୋଜନାବଦ୍ଧ ଭା‌େବ କାମ ହୋଇଥିଲା। ଆଉ ଏଥିପାଇଁ ଏକ ରୢାକେଟ୍‌ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ରୢାକେଟ୍‌ରେ ଶ୍ରୀ ଦାସଙ୍କ ସହିତ ବ୍ୟାଙ୍କର ଅନ୍ୟ କେତେକ କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ଖୋଳତାଡ଼ ଆରମ୍ଭ କରିଛି। ତେବେ ଅନ୍ୟ ଏକ ଘଟଣାକ୍ରମରେ ଥାନାରେ ମାମଲା ରୁଜୁ ହେବା ପରେ ଆଶ୍ଚର୍ଯ୍ୟଜନକ ଭାବେ ହଡ଼ପ କରାଯାଇଥିବା ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ପୁଣି ଜିଲ୍ଲାପାଳଙ୍କ ଆକାଉଣ୍ଟରେ ଜମା କରି ଦିଆଯାଇଛି। ତେବେ ଟଙ୍କା କିଏ ଜମା କଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ବଦନାମରୁ ବର୍ତ୍ତିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ପାଣ୍ଠିରୁ ଏହି ଅର୍ଥ ଭରଣା କରିଥିବା ଜଣେ ଅଧିକାରୀ କହୁଥିବା ବେଳେ ଅନ୍ୟ ପକ୍ଷରେ ଅଭିଯୁକ୍ତମାନେ ଏହି ଅର୍ଥ ପଇଠ କରିଥିବା ବି ଚର୍ଚ୍ଚା ହୋଇଛି।

୫୫ ଓ ୬୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ୍‌ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ୫୦ ଲକ୍ଷ ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୩ ମସିହା ଜୁଲାଇ ୮ ତାରିଖରେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଏକ ଆକାଉଣ୍ଟ ଖୋଲାଯାଇ ଉକ୍ତ ଟଙ୍କା ଜମା କରାଯାଇଥିଲା। ଟଙ୍କା ଉଠାଯାଇନଥିବା ଏବଂ ଏହାର ସୁଧ ଅର୍ଥ ଯୋଗୁଁ ଟଙ୍କା ଜମା ପରିମାଣ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଏହି ଅର୍ଥ ହଡ଼ପ ପାଇଁ ଯୋଜନାବଦ୍ଧ କାମ ହୋଇଥିଲା। ପ୍ରଥମେ ଜିଲ୍ଲାପାଳଙ୍କ ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗ ନାମରେ ଏକ ଚିଠି କରାଯାଇ ଚେକ୍‌ ବହି ମଗାଯାଇଥିଲା। ଚେକ୍‌ ବହି ଆସିବା ପରେ ‘କଲେକ୍ଟର ଆଣ୍ଡ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ଅନୁଗୁଳ’ ନାମରେ ଏକ ସିଲ୍‌ ପ୍ରସ୍ତୁତ କରାଯାଇଥିଲା। ଆଉ ଏହାପରେ ଅସଲ ଖେଳ ଆରମ୍ଭ ହୋଇଥିଲା। ୨୦୧୭ ମସିହା ଡିସେମ୍ବର ୭ ରୁ ୨୦୧୮ ମସିହା ମେ ୩ ମଧ୍ୟରେ ୮ଟି ଚେକ୍‌ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠାଇ ନିଆଯାଇଥିଲା। ଟଙ୍କା ଉଠାଇ ନେବାର କିଛି ଦିନ ପରେ ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସ ଚାକିରି ଛାଡ଼ି ଦେଇଥିଲେ। ସେ ଭୁବନେଶ୍ବର ଯାଇ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ଶାଖା ପରିଚାଳକ ଭାବେ ଯୋଗ ଦେଇଥିଲେ। ଚେକ୍‌ରେ ଟଙ୍କା ଦେବା ବେଳେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ରହିଥିଲା। ଚେକ୍‌ରେ ଥିବା ଦସ୍ତଖତ ମେଳ ଖାଉଛି କି ନାହିଁ, ତାହା ପ୍ରଥମ କର୍ମଚାରୀ ଜଣକ ଦେଖିବା ପରେ ପାସ୍‌ କରିବା ପାଇଁ ଆଉ ଜଣେ ଅଧିକାରୀ/କର୍ମଚାରୀଙ୍କ ପାଖକୁ ପଠାଇ ଥାଆନ୍ତି। ସେ ଯାଞ୍ଚ କରିବା ପରେ ପ୍ରଥମ କର୍ମଚାରୀ ଜଣକ ବ୍ୟାଙ୍କରୁ ଟଙ୍କା ଦେଇଥାନ୍ତି। ତେବେ ମୋଟା ଅଙ୍କର ଟଙ୍କା ଦେବା ବେ‌େଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ନିଶ୍ଚିତ ଭାବେ ଯୋଗାଯୋଗ କରିଯିବା ଉଚିତ। ଯାହା କି ଏ କ୍ଷେତ୍ରରେ କରାଯାଇ ନାହିଁ। ବ୍ୟାଙ୍କ ଖାତା, ଚେକ୍‌ ଆଦିରେ ଦିଆଯାଇଥିବା ଜିଲ୍ଲାପାଳଙ୍କ ସିଲ୍‌ରେ ‘କଲେକ୍ଟର, ଅନୁଗୁଳ’ ବୋଲି ରହିଥାଏ। କିନ୍ତୁ ‘କଲେକ୍ଟର ଆଣ୍ଡ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ଅନୁଗୁଳ’ ନାମରେ ସିଲ୍‌ ବ୍ୟବହାର ହୋଇଥିବା ଚେକ୍‌ରେ ଟଙ୍କା ଦିଆଯାଇଛି। ୮ଟି ଚେକ୍‌ କାହା କାହା ନାମରେ ଇସ୍ୟୁ ହୋଇଛି, ସେହି ତଥ୍ୟ ମିଳିବା ପରେ ଏହି ମାମଲାରେ ଆହୁରି କାହାର ସଂପୃକ୍ତି ରହିଛି, ତାହା ଜଣାପଡ଼ିବ।

ଅନ୍ୟପକ୍ଷରେ, ଅନୁଗୁଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି ଯେ, ଏହା ଏକ ସ୍ପର୍ଶକାତର ମାମଲା। ଏଥିରେ ଆଉ କିଏ ସଂପୃକ୍ତ ରହିଛନ୍ତି, ତାହା ଏବେ ‌କହି ହେବ ନାହିଁ। ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେଲେ ସବୁ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର