ହୁଗୁଳିଗଲାଣି ପଞ୍ଚାୟତ ବ୍ୟବସ୍ଥା: ଖର୍ଚ୍ଚ କରିବାରେ ବିଫଳ, ପଡ଼ିରହିଛି  ଶହ ଶହ କୋଟି

ଖର୍ଚ୍ଚ ଅର୍ଥର ୟୁସି ଦାଖଲ କରିବାରେ ବି ଫେଲ୍, ୪୨ କୋଟି ତୋଷରପାତ, ୩୨୯ କୋଟିରେ ଆପତ୍ତି

ଭୁବନେଶ୍ୱର: ୨୦୧୬ ଏପ୍ରିଲ ପହିଲା ସୁଦ୍ଧା ୪୮୧୫ଟି ପଞ୍ଚାୟତରେ ଅନୁଦାନ ଆକାରରେ ମିଳିଥିିବା ଟଙ୍କାରୁ ୧୨୦୨ କୋଟି ଖର୍ଚ୍ଚ ହୋଇନଥିଲା। ତା ସତ୍ତ୍ୱେ ୨୦୧୬-୧୭ରେ ସେସବୁ ପଞ୍ଚାୟତକୁ ମିଳିଥିଲା ଆଉ ୩୧୫୩ କୋଟି। ପରିଣାମ ହେଲା, ପଞ୍ଚାୟତମାନଙ୍କରେ କୋଟି କୋଟି ଟଙ୍କା ଗଦା ହେଲା ସିନା ବର୍ଷ େଶଷକୁ ସମାନ ଅବସ୍ଥା।୨୦୧୬-୧୭ରେ ବି ପାଖାପାଖିି ୧୭୪୪ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ।ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ତାଙ୍କର ବାର୍ଷିକ ରିପୋର୍ଟରେ ଏଭଳି ସାଂଘାତିିକ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଅଡିଟ୍ ଟିମ୍ ତନାଘନା କରି ଜାଣିପାରିଛନ୍ତି େଯ ୪୧ କୋଟି ୬୮ଲକ୍ଷ ଟଙ୍କା ତୋଷରପାତ ହୋଇଛି। ଆଉ ୩୨୯ କୋଟି ଟଙ୍କା ଖର୍ଚ୍ଚ ଉପରେ ଆପତ୍ତି ଉଠାଇଛନ୍ତି ଟିମ୍। କେବଳ ସେତିକି ନୁହେଁ, ଅନୁଦାନର ବିନିଯୋଗ ପତ୍ର ମଧ୍ୟ ଦିଆଯାଇନାହିଁ। ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ବୋଲି ଜଣାଇଥିଲେ ହେଁ, ବାବୁମାନେ ୧୮୩୫ କୋଟି ଟଙ୍କାର ବିନିଯୋଗ ପତ୍ର କାହିଁକି ଦେଇନଥିଲେ,ତାହା ବୁଝାପଡୁନାହିଁ। ମାତ୍ର ୧୧.୮୪% ବିନିଯୋଗ ପତ୍ର ଦିଆଯାଇଥିଲା। ବରଗଡ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡା, ନୂଆପଡା, ରାୟଗଡା, ସୁନ୍ଦରଗଡ ଜିଲ୍ଲାରେ ଆଦୌ ବିନିଯୋଗ ପତ୍ର ଦାଖଲ ହୋଇନଥିଲା ।

ଏକଥା େକଉଁଠି ନା େକଉଁଠି ସୂଚାଇ େଦଉଛି େଯ ଟଙ୍କା ଖର୍ଚ୍ଚ କରିବାର ତାକତ ଆମ ପଞ୍ଚାୟତର ନାହିଁ । ଖାସ୍‍ ଏଇଥିପାଇଁ ବିନିଯୋଗର ସାମଗ୍ରିକ ହାର ପାଖାପାଖି ୬୦ ପ୍ରତିଶତ ରହୁଛି । ଅନୁଗୁଳ ଜିଲ୍ଲାରେ ୪୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା କାଠିକର ପାଠ ହୋଇପଡିଥିିଲା । ଅଡିଟ୍ ଟିମ୍ େଯଉଁ ରିେପାର୍ଟ େଦଇଛନ୍ତି, େସଥିରୁ ବୁଝାପଡୁଛି େଯ ବିଭାଗର ବାବୁମାନେ ଦାନୀ କର୍ଣ୍ଣଙ୍କ ଭଳି ବ୍ୟବହାର କରିଛନ୍ତି। କୋଟିଏ କି ଦୁଇକୋଟି ନୁହେଁ, ୩୦ କୋଟି ୧୯ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରି ବାବୁମାନେ ଏହାକୁ ଆଦାୟ କରିବାକୁ ଭୁଲିଯାଇଛନ୍ତି। ନା ଏ ସଂପର୍କରେ ଅଗ୍ରୀମ ଖତିୟାନ ଲେଖାଯାଇଛି ନା  ତତ୍କାଳ ଅର୍ଥ ଆଦାୟ ହୋଇଛି। େସହିପରି ପ୍ରତି ମାସ ଶେଷରେ ନିୟମିତ ଭାବରେ ବ୍ୟାଙ୍କ ଜମା ଖାତା ସହ ରୋକଡ ବହିର ମେଳ କରାଯିବା କଥା। କିନ୍ତୁ ୫୬୪ଟି ପଞ୍ଚାୟତରେ ଏହା ଭିତରେ ଥିବା ତଥ୍ୟ ମେଳ ଖାଉନଥିଲା। ପ୍ରତି ବର୍ଷ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାର୍ଷିକ ବଜେଟ୍‍ କରିି ସରପଞ୍ଚଙ୍କ ଅନୁମୋଦନ ନେବା ଆବଶ୍ୟକ ଓ ଏହା ଗ୍ରାମ ପଞ୍ଚାୟତରେ ଉପସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି । ହେଲେ ଅଡିଟ୍‍ ଦେଖିଥିଲେ ଯେ ଏମିତି ବି ହୋଇନଥିଲା । ରାସ୍ତା, କୋଠାବାଡି, ଜଳାଶୟ, ପାନୀୟ ଜଳ ପ୍ରକଳ୍ପ ଆଦି ସ୍ଥାବର ସଂପତ୍ତି ଓ ଅସ୍ଥାବର ସଂପତ୍ତି େଯତେସବୁ ସୃଷ୍ଟି େହଉଛି, େସ ସଂପର୍କରେ ପଞ୍ଚାୟତରେ ସ୍ପଷ୍ଟ ଭାବେ ଲେଖାେହାଇ ରହିବା କଥା।ହେଲେ ୧୩୪୩ଟି ଗ୍ରାମ ପଞ୍ଚାୟତ ଅନୁଦାନପ୍ରାପ୍ତ ଅର୍ଥରୁ ହୋଇଥିବା ସଂପତ୍ତି ଲେଖିନାହାନ୍ତି ବା ଏ ନେଇ କୌଣସି ଖାତା ପ୍ରସ୍ତୁତ କରିନାହାନ୍ତି। ୪୬୭ଟି ପଞ୍ଚାୟତ ବକେୟା ଅର୍ଥ, ଆଦାୟ ଆଦି ସଂପର୍କରେ ଖାତା ରଖିନାହାନ୍ତି। ପୂର୍ତ ବିଲ୍ ରୁ ଯେଉଁ ରାଜଭାଗ, ଶ୍ରମିକ କର, ସେବା କର ଆଦାୟ ହୋଇଥାଏ, ତାହା ମଧ୍ୟ କର୍ତୃପକ୍ଷ ତହବିଲରେ ଜମା କରିନାହାନ୍ତି । ୪୧ କୋଟି ୨୬ଲକ୍ଷ ଟଙ୍କା ପ୍ରଦାନ କରାଯାଇନାହିଁ ।

 

ଗାଁ ଗଣ୍ଡାରେ ଏମିତି ଲୁଟତରାଜ ଚାଲିଛି ଯେ କେଉଁଠି ଆକାଉଣ୍ଟ ବହିକୁ ଅର୍ଥ ସ୍ଥାନାନ୍ତର ଦର୍ଶାଯାଇ ଜମା କରାଯାଇନି,ଆଉ କେଉଁଠି କମ୍‍ ଟଙ୍କା ଜମା ହୋଇଛି। ବରଂ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ବା େତାଷରପାତ େହାଇଛି। ୮୫୪ଟି ଗ୍ରାମ ପଞ୍ଚାୟତରେ ବାର୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ଜାତୀୟ ବାର୍ଧକ୍ୟ ଭତ୍ତା, ମଧୁବାବୁ ପେନସନ୍‍ ଯୋଜନାରେ ଯେତିକି ଟଙ୍କା ବଣ୍ଟାଯାଇଥିବା ଅର୍ଥ ଠାରୁ ଅଧିକ ଅର୍ଥ ବ୍ୟୟ ହୋଇଛି। ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‍ ହୋଇଛି। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ପର୍ଯ୍ୟାଲୋଚନା କରିନଥିବାରୁ ବିପୁଳ ଅର୍ଥ କ୍ଷତି ହୋଇଥିବା ଅଡିଟ୍‍ ଟିମ୍‍ କହିଛନ୍ତି। ଅଡିଟ୍‍ ବେଳେ ଜଣାପଡିଛି ଯେ ୫୪ଟି ପଞ୍ଚାୟତରେ ବାର୍ଧକ୍ୟ ଭତ୍ତା ବଣ୍ଟନ ପରେ ମଧ୍ୟ ଗ୍ରାମ ପଞ୍ଚାୟତ ଅଧିକାରୀ ବର୍ଷ ବର୍ଷ ଧରି ଏ ବାବଦ ବଳକା ଅର୍ଥ ନିଜ ପାଖରେ ରଖିଥିଲେ । ୧୮୫ଟି ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସଂପାଦକ ପ୍ରମୁଖ ସେମାନଙ୍କ ଅବସର ପରେ ବି ଲକ୍ଷ ଲକ୍ଷ ଟଙ୍କା ନିଜର ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବା ପରିବର୍ତେ ନିଜ ପାଖରେ ରଖିଥିଲେ। ୪୦୮ଟି ପଞ୍ଚାୟତରେ ଆଦାୟ ହୋଇଥିବା ନଗଦ ଅର୍ଥ ରାଶି ଆଦୌ ଜମାକରାଯାଇନଥିଲା। କିଛି କ୍ଷେତ୍ରରେ କମ୍‍ ଅର୍ଥ ଜମା କରାଯାଇଥିଲା।୫୯୦ଟି ପଞ୍ଚାୟତରେ ନିଲାମ ବା ପଟ୍ଟା ଦିଆଯାଇଥିବା ସୈରାତ, ପୋଖରୀ, ବଜାରଗୁଡିକ ନିଲାମ ବା ଲିଜ୍‍ ବାବଦ ଅର୍ଥ ଆଦାୟ କରିନଥିଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟିଥିଲା।

ସମ୍ବନ୍ଧିତ ଖବର