କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୧ ଲକ୍ଷ ୯୫ ହଜାର ଜବତ

ପାଟଣାଗଡ଼ରୁ ମୋବାଇଲ ସ୍କ୍ବାଡ୍‌ ଧରିଲା ୮ଲକ୍ଷ, କାରରୁ ୩ ଲକ୍ଷ ଟଙ୍କା ଜବତ, ଫ୍ଲାଇଂ ସ୍କ୍ବାଡ ଯାଞ୍ଚ ବେଳେ ବାଇକ ଡିକିରୁ ମିଳିଲା ୫ଲକ୍ଷ

ଚମ୍ପୁଆ : ଚମ୍ପୁଆ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକଙ୍କ ଗାଡ଼ିରୁ ଆଜି ଚମ୍ପୁଆ ପୁଲିସ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି। ନିର୍ବାଚନ ପରିଚାଳନା ପାଇଁ ଗଠିତ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍‌ର ୧ ନମ୍ବର ଟିମ୍‌ ଆଜି ଚମ୍ପୁଆ ଏନ୍ଏସି ଅଧୀନ ଶଙ୍କରପୁର ନିକଟରେ ଗାଡ଼ି ଯାଞ୍ଚ୍ କରୁଥିଲା। ଏହି ସମୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ ଭଦ୍ରାସାହିରୁ ଚମ୍ପୁଆକୁ ଆସୁଥିଲେ। ପୁଲିସ ତାଙ୍କ  କାର୍‌ (ଓଡି ୦୨ ଏ ବି -୭୧୮୨) କୁ ଅଟକାଇ ଯାଞ୍ଚ୍ କରିବାରୁ ସେଥିରୁ ନଗଦ ୧ ଲକ୍ଷ ୯୫ ହଜାର ଟଙ୍କା ମିଳିଥିଲା। ଏଥିରେ ୩୨୦ ଟି ୫ଶହ ଟଙ୍କିଆ ନୋଟ, ୫୦ଟି ୨ଶହ ଟଙ୍କିଆ ନୋଟ ସହ ୫ ପ୍ୟାକେଟ୍ କଂଗ୍ରେସର ଦଳୀୟ ପତାକା ଥିବା ଦେଖିବାକୁ ମିଳିଥିଲା। ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ନିର୍ବାଚନ କମିସନଙ୍କ ନିୟମ ମୁତାବକ ଯଦୁମଣିଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ଏହି ଟଙ୍କାକୁ ସେ ଗତ ୨୬ ତାରିଖ ଦିନ ଭଦ୍ରାସାହିସ୍ଥିତ ଷ୍ଟେଟବ୍ୟାଙ୍କରୁ ଉଠାଇଥିବା କହିଥିଲେ। ଜବତ ଟଙ୍କାକୁ ଚମ୍ପୁଆ ଟ୍ରେଜେରିକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏନେଇ ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏହାର ଅଧିକ ତଦନ୍ତ କରୁଛି। ସ୍କ୍ବାଡ୍‌ ଦାୟିତ୍ବରେ ଥିବା ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ୟାମସୁନ୍ଦର ସିଂଙ୍କ ନେତୃତ୍ବରେ ପୁଲିସ୍‌ କର୍ମଚାରୀମାନେ ଯାନବାହନ ଯାଞ୍ଚ କରିଥିଲେ।

ପାଟଣାଗଡ଼ରୁ ମୋବାଇଲ ସ୍କ୍ବାଡ୍‌ ଧରିଲା ୮ଲକ୍ଷ

ପାଟଣାଗଡ଼ : ସାଧାରଣ ନିର୍ବାଚନ ପାଇଁ ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ ମୋବାଇଲ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିଲା। ‌ଦିନ ଦ୍ବିପ୍ରହରରେ ସ୍ଥାନୀୟ ବଥର୍ଲା ଛକଠାରେ ଏକ ମାରୁତି ଡିଜାୟାର ଗାଡି (ଓଡି ୦୩ ଏମ ୪୯୯୫) ଖପ୍ରାଖୋଲ ପଟକୁ ଯାଉଥିଲା। ସେଠାରେ ସ୍କ୍ବାଡ୍‌ ଉକ୍ତ କାରକୁ ଅଟକାଇଥିଲା। ତନଖି ବେଳେ କାରରୁ ୮ଲକ୍ଷ ଟଙ୍କା ବାହାରିଥିଲା। ଟଙ୍କା ଓ କାରକୁ ଜବତ କରି ପାଟଣାଗଡ଼ ଥାନାକୁ ଅଣା ଯାଇଥିଲା। ପଚରା ଉଚୁରା ବେଳେ କାରଟି ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରାମରେ ଥିବା ମା’ ସମଲେଶ୍ବରୀ କପା ମିଲ ମାଲିକ ଚୂଡ଼ାମଣି କଟାଙ୍କ ବୋଲି ଜଣାପଡ଼ିଛି। ତଦନ୍ତ ସମୟର ସେ ଉକ୍ତ ଟଙ୍କା ପାଟଣାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଇ ନେଉଥିବା କହିଥିଲେ। ଜବତ ଟଙ୍କା ସବୁ ‌କୋଷାଗାରକୁ ହସ୍ତାନ୍ତର କରା ଯାଇଥିବା ବେଳେ ଗାଡ଼ିକୁ ଛାଡ଼ି ଦିଆ ଯାଇଥିବା ଥାନାଧିକାରୀ ପ୍ରିୟଙ୍କା ରାଉତରାଏ କହିଛନ୍ତି।

କାରରୁ ୩ ଲକ୍ଷ ଟଙ୍କା ଜବତ

ସୋନପୁର : ଶନିବାର ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲି ନିକଟରେ ସୋନପୁର ଅତିରିକ୍ତ ତହସିଲଦାର ତ୍ରିପୁର ମହାନନ୍ଦଙ୍କ ନେତୃତ୍ବରେ ଷ୍ଟାଟିକ ସର୍ଭେଲାନ୍ସ ଟିମ ତରଭା ଥାନା ବାଗବାହାଲି ଗ୍ରାମର ପ୍ରଭୂଦତ୍ତ ରଥ ଏକ କାର (ନଂ.ଓଡି୩୧-ବି-୦୦୨୧)ରେ ଯାଉଥିବା ସମୟରେ ଗାଡିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଥିବା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାଇ ଜବତ ଟଙ୍କା ଜିଲ୍ଲା କୋଷାଗାରର ଷ୍ଟ୍ରଙ୍ଗ ରୁମରେ ଜମା କରାଯାଇଛି।

ଫ୍ଲାଇଂ ସ୍କ୍ବାଡ ଯାଞ୍ଚ ବେଳେ ବାଇକ ଡିକିରୁ ମିଳିଲା ୫ଲକ୍ଷ

କୋକସରା : ନିର୍ବାଚନ ପରି‌ପ୍ରେକ୍ଷୀରେ ପୁଲିସ ପ୍ରଶାସନ ତରଫରୁ ଜିଲ୍ଲାର ସବୁଆଡ଼େ ଯାନବାହନ ତଲାସି ଜୋରଦାର କରାଯାଉଛି। ଏହି କ୍ରମରେ ଶୁକ୍ରବାର ରାତି ୮ଟା ୪୫ ମିନିଟରେ କୋକସରା ଥାନା ଅନ୍ତର୍ଗତ ମୋଟେର ଖୁଟୁଲୁଗୁଡ଼ା ଛକ ନିକଟରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ମାଜିଷ୍ଟ୍ରେଟ ଟଙ୍କଧର କାଲୋଙ୍କ ନେତୃତ୍ୱରେ ତଲାସି କରାଯାଉଥିଲା। ଏହି ସମୟରେ ବାଇକ (ଓଆର ୦୮ ଜି ୬୯୬୩)ରେ ଭବାନୀପାଟଣା ପଟୁ ଆସୁଥିବା ସୁଦାମ ଭୋଇ (୩୫)ଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ତାଙ୍କ ବାଇକ ଡିକିରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସୁଦାମଙ୍କ ଘର ବରଗଡ଼ ଜିଲ୍ଲା ବରାହଗୁଡା ପଂଚାୟତର ଆମସଢ଼ା ଗ୍ରାମରେ ହୋଇଥିବା ବେଳେ ସେ ଖଲିଆଭଟ୍ଟା ରାଇସମିଲରେ କାମ କରୁଛନ୍ତି। ସୁଦାମଙ୍କୁ ପଚାରିବାରୁ ଏହି ଟଙ୍କା ଖଲିଆଭଟାରେ ଥିବା ଶ୍ରୀ ଗୋପାଳ ଫୁଡ଼ ରାଇସ ମିଲକୁ ନେଇ ଯାଉଥିବା ସେ ପ୍ରକାଶ କରିଥିଲେ। ଜବତ ଟଙ୍କାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇ ତଦନ୍ତ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର