ପୁରୀ : ମାତିଛି ମାଙ୍କଡ। ମାଙ୍କଡ ଡରରେ ଘରୁ ବାହାରି ପାରୁନାହାନ୍ତି ଲୋକେ। ଦିନରାତି ଘରର କବାଟ କିଳି ରହୁଛନ୍ତି। ପୁରୀ କାକଟପୁରର ସୁହାଗପୁର ପଂଚାୟତର ୫ଟି ଗାଁରେ ମାଙ୍କଡଙ୍କ ଉତ୍ପାତ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି। ମାଙ୍କଡ ଆକ୍ରମଣରେ ୧୫ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ଏବେ ମାଙ୍କଡ ଘଉଡାଇବା ପାଇଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ, ଏପରିକି ମହିଳାମାନେ ମଧ୍ୟ ବାଡି ଧରି ଜଗି ରହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଛୁଆ ଠୁ ବୁଢା ସମସ୍ତଙ୍କ ହାତରେ ବାଡି। କି ମହିଳା କି ପୁରୁଷ ଦିନ ରାତି ସମସ୍ତେ ଏକତ୍ରିତ ହୋଇ ଲାଗିଛନ୍ତି ମାଙ୍କଡ ଘଉଡାଇବା ପାଇଁ। ଲୋକଙ୍କୁ ଏକୁଟିଆ ପାଇଲେ ଆକ୍ରମଣ କରୁଛନ୍ତି ମାଙ୍କଡ। ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ଠେଙ୍ଗା ବାଡି ଧରି ଜଗି ରହୁଛନ୍ତିା ପରିସ୍ଥିତି ଏପରି ହୋଇଛି ଯେ ତାଟି କବାଟ ପଡି ରହୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସୁହାଂଗପୁର ପଂଚାୟତର ୫ଟି ଗାଁରେ। ମାଙ୍କଡ ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇସାରିଛନ୍ତି।
୨ରୁ ୩ଟି ମାଙ୍କଡ ଗତ କିଛି ଦିନ ହେବ ଏଠାରେ ଉତ୍ପାତ ଚଳାଇଥିବା ବେଳେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ବନ ବିଭାଗ ମଧ୍ୟ ଏହି ମାଙ୍କଡଙ୍କୁ ଧରିବାରେ ଫେଲ ମାରିଛି।୧୫ ଦିନ ହେବ ମାଙ୍କଡଙ୍କୁ ଧରିବାରେ ବନ ବିଭାଗ ନାକେଦମ ହେଲେ ମଧ୍ୟ ଏଯାଏଁ ଏମାନଙ୍କୁ କାବୁ କରିପାରିନାହିଁ। ଟ୍ରାଙ୍କ୍ୟୁଲାଇଜର ଟିମକୁ ଡକାଯାଇଥିଲେ ମଧ୍ୟ ସେମାନେ ଏଯାଏ ଆସିନାହାନ୍ତି। ସେପଟେ ସୁରକ୍ଷା ଯୋଗାଇଦେବାକୁ ଗାଁଲୋକେ ଦାବି କରିଛନ୍ତି। ମାଙ୍କଡଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଦେଖାଦେଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି।