ଖାଦ୍ୟ ପାଇଁ ପାହାଡ଼ରେ ଫସିଗଲେ ମାଙ୍କଡ଼ ଦଳ, ତିନି ମାସ ହେଲା ବିନା ଖାଦ୍ୟରେ ରହିଛନ୍ତି ଶହ ଶହ ମାଙ୍କଡ଼

ବନ ବିଭାଗ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ

ମାଲକାନଗିରି : ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ପାହଡ଼ରୁ ଅନ୍ୟ ପାହାଡ଼କୁ ଚାଲିଗଲେ। କିନ୍ତୁ ହଠାତ୍ ପାଣି ଚାଲି ଆସିବାରୁ ୩ମାସ ହେଲା ଫସି ରହିଥିଲେ ଶହ ଶହ ମାଙ୍କଡ଼। ଖାଦ୍ୟ ସରିବା ପରେ ଭୋକରେ ପଡ଼ି ରହିଥିଲେ। ଖାଦ୍ୟାଭାବରୁ କିଛି ମାଙ୍କଡ଼ ମରି ଯାଇଥିବାବେଳେ କିଛି ରୋଗିଣା ହୋଇଗଲେ। ଏହା ଜାଣିବା ପରେ ନିକଟସ୍ଥ ଗ୍ରାମବାସୀ ବନ ବିଭାଗକୁ ଖବର ଦେଲେ। ବର୍ତ୍ତମାନ ଅସ୍ଥାୟୀ ବାଉଁଶ ପୋଲ ଦ୍ବାରା ମାଙ୍କଡ଼ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏମିତି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ବୁଧବାବନ୍ଧ ଗ୍ରାମ ନିକଟସ୍ଥ ପାହାଡ଼ରେ ଶତାଧିକ ମାଙ୍କଡ଼ ରହି ଆସୁଥିଲେ। ତେବେ ଚଳିତ ବର୍ଷ ଗ୍ରୀଷ୍ମ ଋତୁ ବେଳକୁ ଏହି ପାହାଡ଼ରେ ଖାଦ୍ୟ ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଖାଦ୍ୟ ଅନ୍ବେଷଣରେ ମାଙ୍କଡ଼ ପଲ ଏଣେ ତେଣେ ବୁଲିବା ଆରମ୍ଭ କରିଥିଲେ। ଶେଷରେ ସେମାନଙ୍କ ମୂଳ ବାସସ୍ଥାନରୁ ଅଳ୍ପ ଦୂରରେ ଥିବା ଗୋଟିଏ ପାହାଡ଼ରେ ପର୍ଯ୍ୟାପ୍ତ ଖାଦ୍ୟର ସନ୍ଧାନ ପାଇ ପଲ ପଲ ହୋଇ ସବୁ ମାଙ୍କଡ଼ ପର୍ଯ୍ୟାୟକ୍ରମେ ଏହି ପାହାଡ଼କୁ ଚାଲି ଆସିଲେ। କିନ୍ତୁ ମାଙ୍କଡ଼ଙ୍କ ସଂଖ୍ୟା ଏତେ ଅଧିକ ରହିଥିଲା ଯେ କିଛି ମାସ ମଧ୍ୟରେ ହିଁ ସବୁ ଖାଦ୍ୟ ସରିଗଲା। ଯାହାଫଳରେ ସେମାନେ ପୁଣି ଫେରିବା ପାଇଁ ଉଦ୍ୟମ କରିଥିଲେ ବି ବର୍ଷା ଦିନ ଆରମ୍ଭ ହୋଇଯିବାରୁ ଆଉ ଆସିପାରି ନଥିଲେ। ଉକ୍ତ ପାହାଡ଼କୁ ଚାରିଆଡ଼ୁ ବର୍ଷା ପାଣି ଘେରି ରହିଥିଲା। ଖାଦ୍ୟ ଅଭାବରୁ ଏହାରି ମଧ୍ୟରେ କିଛି ମାଙ୍କଡ଼ ପ୍ରାଣ ହରାଇଲେ। ବହୁ ମାଙ୍କଡ଼ ଦୁର୍ବଳ ହେବା ସହ ରୋଗରେ ପଡ଼ିଲେ। ପ୍ରାୟ ୩ମାସ ହେଲା ମାଙ୍କଡ଼ଙ୍କୁ ଆଦୌ ଖାଦ୍ୟ ମିଳିନଥିବା କୁହାଯାଉଛି। ଅଧିକାଂଶ ଖାଲି ପତ୍ର ଏବଂ ପାଣି ପିଇ ବଞ୍ଚି ରହିଥିଲେ।

କିଛି ଦିନ ତଳେ ବୁଧବାବନ୍ଧ ଗ୍ରାମବାସୀ ମାଙ୍କଡ଼ଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଶହ ଶହ ମାଙ୍କଡ଼ ନିଖୋଜ ହେବା ଗ୍ରାମବାସୀଙ୍କୁ ଚକିତ କରିଥିଲା। ଏ ନେଇ ବନ ବିଭାଗକୁ ଖବର ଦିଆଯିବାରୁ ମିଳିତ ଭାବେ ମାଙ୍କଡ଼ଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ଶେଷରେ ଦ୍ବୀପ ସଦୃଶ ପାହାଡ଼ରେ ମାଙ୍କଡ଼ଙ୍କୁ ଠାବ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଛି ଉଦ୍ଧାର ଉଦ୍ୟମ। ଉକ୍ତ ପାହାଡ଼କୁ ଡଙ୍ଗାରେ ଯାଇ କିଛି ଦିନର ଖାଦ୍ୟ ଦିଆଯାଇଛି। ପାଣି କମିବାର ସମ୍ଭାବନା ନଥିବାରୁ ବର୍ତ୍ତମାନ ଅସ୍ଥାୟୀ ପୋଲ ନିର୍ମାଣ କାମ ଚାଲିଛି। ବାଉଁଶରେ ନିର୍ମାଣ ଚାଲିଥିବା ଏହି ପୋଲ କାମ ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ। ଯାହାଫଳରେ ମାଙ୍କଡ଼ମାନେ ପୁଣି ନିଜ ବାସସ୍ଥାନକୁ ଫେରି ଆସିବେ ବୋଲି ବନ ବିଭାଗ କହିଛି। ବନ ବିଭାଗର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର