ମୌସୁମି ମୁକାବିଲା ପାଇଁ ଜାରି ହେଲା ଆକ୍ସନ ପ୍ଲାନ୍‌ : ଜୁନ୍‌ ୧୫ ପୂର୍ବରୁ ଡ୍ରେନ୍‌ ସଫା କର

ଭୁବନେଶ୍ୱର : ବର୍ଷା ଋତୁରେ ଯେପରି ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସମସ୍ତ ଏନ୍‌ଏସି, ମ୍ୟୁନସପାଲଟି ଏବଂ ମହାନଗର ନିଗମଗୁଡ଼ିକ କିପରି ପଦକ୍ଷେପ ନେବେ ସେଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍‌ ଜାରି ହୋଇଛି। ପ୍ରବଳ ବର୍ଷା, ବାତ୍ୟା ସମୟରେ କିପରି ସହରାଞ୍ଚଳରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେଥିପାଇଁ ପ୍ରସ୍ତୁତି କରିବାକୁ କୁହାଯାଇଛି।

ଜୁନ୍‌ ୧୫ସୁଦ୍ଧା ସମସ୍ତ ଡ୍ରେନ୍‌ ସଫା କରିବାକୁ ଡ୍ରେନେଜ୍‌ ଡିଭିଜନ, କ୍ଷୁଦ୍ର ଜଳସେଚନ ବିଭାଗ ଯୁଗ୍ମ ପରିଦର୍ଶନ କରି ପଦକ୍ଷେପ ନେବେ। ସମସ୍ତ ଡ୍ରେନ୍‌ ଓ ମ୍ୟାନହୋଲ୍‌ ମରାମତି କରିବା ସହ ମୁକୁଳା ଡ୍ରେନ୍‌ ଉପରେ ଘୋଡ଼ଣି ପକାଇବାକୁ କୁହାଯାଇଛି। ଯେଉଁଠି ଘୋଡ଼ଣି ପକାଇ ହେଉନି ସେଠାରେ ସତର୍କ ସୂଚନା ରଖିବେ। ଯେଉଁଠି ଡ୍ରେନ୍‌ ଉପରେ ଜବରଦଖଲ ଅଛି ତୁରନ୍ତ ତାକୁ ଉଚ୍ଛେଦ କରିବା ଏବଂ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସେହିପରି ଯେଉଁ ଯେଉଁ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ସେଠାରେ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ, ଯଦି ଜଳ ନିଷ୍କାସନ ବ୍ୟବସ୍ଥା ନଥିବ ତେବେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଡ୍ରେନ୍‌ରେ ଯେପରି କଠିନ ବର୍ଜ୍ୟବସ୍ତୁ କି ପଲିଥିନ୍‌ ନ ଜମିବ ସେଥିପାଇଁ ଡ୍ରେନ୍‌ ନିକଟରେ ଏବଂ ସହରର ପ୍ରମୁଖ ସ୍ଥାନରେ ଡଷ୍ଟବିନ୍‌ ରଖିବାକୁ କୁହାଯାଇଛି। ପଲିଥିନ୍‌ ବ୍ୟବହାର ଯେପରି କଟକଣା ଲାଗିବ ସେଥିପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପୌରସଂସ୍ଥାଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର