ନିର୍ଦ୍ଧାରିତ ସମୟରେ ମୌସୁମୀ ଆସିବ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିବା ନେଇ ଆକଳନ କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କିନ୍ତୁ ଏବେ ଜଣାପଡ଼ିଛି ଯେ ନିର୍ଦ୍ଧାରିତ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ।

ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ମୌସୁମୀ ବାୟୁ ଏବେ ଦକ୍ଷିଣ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ରୟାଲସୀମା, ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଆନ୍ଧ୍ରପ୍ରଦେଶ ଛୁଇଁ ଓଡ଼ିଶା ଆଡ଼କୁ ଅଗ୍ରସର ହେବ। ଜୁନ୍‌ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍‌, ଦକ୍ଷିଣ ମଧ୍ୟପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳ ସମେତ କେନ୍ଦ୍ରୀୟ ବଙ୍ଗୋପସାଗର, ପୂର୍ବ ଉତ୍ତର ପ୍ରଦେଶ ଉପରେ ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ମୌସୁମୀ ବାୟୁ ପ୍ରବାହ ମନ୍ଥର ହୋଇଛି। ଜୁନ୍‌ ୮ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ଓଡ଼ିଶାକୁ ମୌସୁମୀ ପ୍ରବେଶ ସହଜ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ୧୦ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ଏହି ସମୟରେ କାଳବୈଶାଖୀ ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କରିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ। ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହୋଇପାରେ। ୧୧ ତାରିଖ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପକ୍ଷରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ୨୮ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୨୫.୬, ଢେଙ୍କାନାଳରେ ୧୬, ଦାରିଙ୍ଗବାଡ଼ିରେ ୧୨, କେନ୍ଦୁଝରରେ ୪.୩, ଚାନ୍ଦବାଲିରେ ୪, ଟିଟିଲାଗଡ଼ରେ ୩.୨, ଫୁଲବାଣୀରେ ୨ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ବାଲେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ବର୍ଷା ସହ ପବନ ହୋଇଛି।

ସମ୍ବନ୍ଧିତ ଖବର