ବିଦାୟ ନେଲା ମୌସୁମୀ : ୯% କମ୍‌ ବୃଷ୍ଟିପାତ

ଭୁବନେଶ୍ୱର : ଆଜି ସାରା ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଗତବର୍ଷ ୧୮ ତାରିଖରେ ରାଜ୍ୟରୁ ଫେରିଯାଇଥିଲା। ଏହା ପୂର୍ବରୁ ଦେଶର ଉତ୍ତର ପୂର୍ବର କିଛି ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକୁ ଛାଡ଼ି ଆପାତତଃ ଅନ୍ୟ ସମସ୍ତ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ କରିସାରିଛି। ମୌସୁମୀ ବାୟୁ ବିଦାୟ ନେବା ପରେ ଆସୁଛି ଶୀତ। ଲଘୁଚାପ ଜନିତ ବର୍ଷା ହେବା ପରେ ପରେ ଆଗାମୀ ୨୫ ତାରିଖ ବେଳକୁ ରାଜ୍ୟରେ ଶୀତ ଆସିଯିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

ଆଜି ମୌସୁମୀର ପ୍ରତ୍ୟାବର୍ତନ ସଂପର୍କରେ ଘୋଷଣା କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଗତକାଲି ରାଜ୍ୟରୁ ଆଂଶିକ ଭାବେ ମୌସୁମୀ ବାୟୁ ଅପସରି ଯାଇଥିଲା। ଆଜି ସଂପୂର୍ଣ୍ଣ ରୂପେ ବିଦାୟ ନେଇଛି। ଗତକାଲି ଓ ଆଜି ଦୁଇଦିନ ଧରି ସାରା ରାଜ୍ୟରେ ପାଗ ପୂରା ଶୁଖିଲା ରହିଛି। କାଁ ଭାଁ ବର୍ଷା ବି ହୋଇନାହିଁ। ବାୟୁମଣ୍ଡଳରୁ ଆର୍ଦ୍ରତା ବି କମିଛି। ଆଜି ଆର୍ଦ୍ରତା ପରିମାଣ ରହିଛି ମାତ୍ର ୪ ପ୍ରତିଶତ। ତେବେ ମୌସୁମୀ ଋତୁ ଭାବେ ବିବେଚିତ ଜୁନ୍‌ ପହିଲାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୯ ପ୍ରତିଶତ କମ୍‌ ବର୍ଷା ହୋଇଛି, ଯାହାକି ସ୍ୱାଭାବିକ। ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହାର ୧୧୪୯ ମିଲିମିଟର ଥିବା ବେଳେ ଏହି ମୌସୁମୀ କାଳରେ ହୋଇଛି ୧୦୫୨ ମି.ମି. ବୃଷ୍ଟିପାତ। ସର୍ବାଧିକ ୪୬ ପ୍ରତିଶତ ବୃଷ୍ଟିପାତ ମାଲକାନଗିରିରେ ହୋଇଥିବା ବେଳେ ବଲାଙ୍ଗୀରରେ ୩୪ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି।

ଶୀତର ଆଗମନ ସଂପର୍କରେ ଡ. ସାହୁ କହିଛନ୍ତି ଯେ ଗତ ଦୁଇଦିନ ଧରି ପାଗ ଶୁଖିଲା ରହିଥିବାରୁ ହିମାଳୟ ପାଦଦେଶ ଏବଂ ଉତ୍ତର ପୂର୍ବ ଦିଗରୁ ପବନ ବହୁଛି। ଫଳରେ ଆଜି କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିଛି। ୫ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସିଛି। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରାତିବେଳା ଶୀତ ଅନୁଭୂତ ହେଉଛି। କିନ୍ତୁ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ପରଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୩/୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ଅଧିକ। ଫଳରେ ବାୟୁମଣ୍ଡଳରେ କିଛି ପରିମାଣରେ ଜଳୀୟବାଷ୍ପ ରହିବ। ୨୫ ତାରିଖ ବେଳକୁ ପାଗ ସଂପୂର୍ଣ୍ଣ ଶୁଖିଲା ହେବ। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହିବା ସହିତ ବିକିରଣ ଜନିତ କାରଣରୁ ଶୀତ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର