ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ : ୯ ପରେ ଓଡ଼ିଶା ପହଞ୍ଚିବ ମୌସୁମୀ

ଭୁବନେଶ୍ୱର : ଜୁନ୍‌ ୬ରେ ଓଡ଼ିଶାରେ ପହଞ୍ଚିବନି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଉ ୩ରୁ ୪ ଦିନ ବିଳମ୍ବ ହେବ। ଜୁନ୍‌ ୯ରୁ ୧୧ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଞ୍ଚିବା ଲାଗି ପାଗ ଅନୁକୂଳ ରହିଛି ବୋଲି ଆଜି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ହେଲେ ଆସନ୍ତା ୬ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ମୌସୁମୀ ଏବେ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରି, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଛୁଇଁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାହା କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ରୟାଲସୀମା, ଦକ୍ଷିଣ କୋଙ୍କଣ, ଗୋଆ, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ତାହା ମହାରାଷ୍ଟ୍ରର କିଛି ଅଞ୍ଚଳ, ତେଲେଙ୍ଗାନା ଓ ଉପକୂଳ ଆନ୍ଧ୍ର ଛୁଇଁବାର ସମ୍ଭାବନା ରହିଛି। ଜୁନ୍‌ ୯ରୁ ୧୧ ମଧ୍ୟରେ ଆରବ ସାଗରର ଅଧିକାଂଶ ଅଞ୍ଚଳ, ମହାରାଷ୍ଟ୍ରର ଓ ଗୁଜୁରାଟର କିଛି ସ୍ଥାନ, ଦକ୍ଷିଣ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକିମ୍‌ରେ ମୌସୁମୀ ପହଞ୍ଚିବା ଲାଗି ପାଗ ଅନୁକୂଳ ରହିଛି। ଜୁନ୍‌ ୬ ତାରିଖଠାରୁ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଓଡ଼ିଶା ସମେତ ୧୪ଟି ରାଜ୍ୟ ପାଇଁ ଝଡ଼ତୋଫାନର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଜୁନ୍‌ ୫ ଅର୍ଥାତ୍‌ ମଙ୍ଗଳବାର ଉପକୂଳ ସମେତ ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଜୁନ୍‌ ୬ରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୭ ଓ ୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପାଇଁ ପାଗ ଅନୁକୂଳ ରହିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ୱାସ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି। ସୋନପୁରରେ ସର୍ବାଧିକ ୩୨ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୧୬.୩, ତାଳଚେରରେ ୧୫, ଦାରିଙ୍ଗବାଡ଼ିରେ ୧୪, ବଲାଙ୍ଗୀରରେ ୧୦.୬, ସୁନ୍ଦରଗଡ଼ରେ ୭ ମିମି ବର୍ଷା ହୋଇଛି। ସୋନପୁରର ତାପମାତ୍ରା ଆଜି ୪୧ ଡିଗ୍ରି ରହିଥିବା ବେଳେ ଭବାନୀପାଟଣାରେ ୪୦ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର