ଜୁନ୍‌ ପ୍ରଥମ ସପ୍ତାହରୁ ଓଡ଼ିଶାରେ ବର୍ଷା : ଆଜି କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ଭୂଖଣ୍ଡ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପାଗ ଅନୁକୂଳ ରହିଥିବାରୁ ନିର୍ଧାରିତ ସମୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ କେରଳର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ କର୍ଣ୍ଣାଟକ, ସିକିମ୍‌, ଅରୁଣାଚଳ ପ୍ରଦେଶ, ପଣ୍ଡିଚେରି, ତାମିଲନାଡ଼ୁ ପରି ଦକ୍ଷିଣ ଭାରତର କେତେକ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଦ୍ର ଉପକୂଳ, ମଧ୍ୟ ମହାରାଷ୍ଟ୍ର, ଗୋଆ, ପଶ୍ଚିମ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନାରେ କାଳବୈଶାଖୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ, ମୌସୁମୀ ଆଜି କେରଳ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ ଆସନ୍ତା ଦୁଇଦିନରେ ମୌସୁମୀ ବାୟୁ ପଣ୍ଡିଚେରି, ଲକ୍ଷଦ୍ୱୀପ, କର୍ଣ୍ଣାଟକ, ତାମିଲନାଡ଼ୁରେ ପହଞ୍ଚିବ ଓ ପ୍ରବଳ ବର୍ଷା ହେବ। ତେବେ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଚଳିତ ସପ୍ତାହରୁ ପାଗରେ ପରିବର୍ତନ ହେବ। ତାପମାତ୍ରା କମିବ। ଆକାଶ ମେଘୁଆ ରହିବ। ଜୁନ୍‌ ପ୍ରଥମ ସପ୍ତାହରୁ ହିଁ ବର୍ଷା ଲାଗିରହିବ। ପ୍ରଥମେ ଦକ୍ଷିଣ ଓ ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଜୁନ୍‌ ୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୪ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ମୌସୁମୀ ପ୍ରବାହ ଲାଗି ପାଗ ଅନୁକୂଳ ରହିଛି। ମେ’ ୨୯ରେ ମୌସୁମୀ କେରଳରେ ପହଞ୍ଚିଲେ ଏହାର ୧୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧୦ରେ ଓଡ଼ିଶା ଛୁଇଁପାରେ। ଜୁନ୍‌ ପ୍ରଥମ ସପ୍ତାହରୁ ପ୍ରାକ୍‌ ମୌସୁମୀ ବର୍ଷା ହେବାର ବହୁତ ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ମେ’ ୩୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। କିନ୍ତୁ ଜୁନ୍‌ ୧ରୁ ତାତି କମିବ ଏବଂ ପାଗ ମେଘୁଆ ରହିବ। ଜୁନ୍‌ ୬ରୁ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ। ଜୁନ୍‌ ୧, ୪ ଓ ୬ ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଆକାଶ ଆଂଶିକ ମେଘୁଆ ରହିବ। ହେଲେ ୬ ତାରିଖ ପୂର୍ବରୁ ମୌସୁମୀ ବର୍ଷାର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି। ଏଥିସହ ସୋନପୁର ତାପମାତ୍ରା ୪୩.୪ ଡିଗ୍ର୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୨.୬, ମାଲକାନଗିରିରେ ୪୧.୬, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧.୨, ତାଳଚେରରେ ୪୧.୧, ଝାରସୁଗୁଡ଼ାରେ ୪୦.୬, ହୀରାକୁଦରେ ୪୦.୧ ଡିଗ୍ରି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ରେ ୬ ମି.ମି. ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର