ଭିଜାଇଲା ମୌସୁମୀ : ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର : ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ। ପ୍ରଭାବରେ ଆଜି ଦିନତମାମ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ୨୪ ଘଣ୍ଟା ମଧ୍ୟରେ ପୁରୀରେ ଦେଶର ସବୁଠାରୁ ଅଧିକ ବର୍ଷା ୧୪୩ ମିମି ରେକର୍ଡ କରାଯାଇଛି। ଆଜି ଦିନ ସମୟରେ ଏଠାରେ ୧୨୭ ମିମି ବର୍ଷା ହୋଇଛି। ଯାହାକି ଚଳିତବର୍ଷର ସବୁଠାରୁ ଅଧିକ ବର୍ଷା।

ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୮୧.୮ ମିମି ବର୍ଷା ହୋଇଛି। ବର୍ଷା ପ୍ରଭାବରେ ସହର ତଳି ଅଞ୍ଚଳର ହାଲ ବିଗିଡ଼ିଯାଇଛି। ଏକାଧିକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଚଳିତବର୍ଷ କେବେ ବି ଏତେ ପରିମାଣର ବର୍ଷା ହୋଇ ନ ଥିଲା। ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି। କଟକରେ ସ୍ଥିତି ଟିକିଏ ବିଗିଡ଼ି ଯାଇଛି। ଅସରାଏ ବର୍ଷାରେ ସହରର ହାଲ ବିଗିଡ଼ି ଯାଇଛି। ଅଧିକାଂଶ ସ୍ଥାନରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅନୁଗୁଳରେ ୭୮ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୬୧, ସମ୍ବଲପୁରରେ ୫୦.୭, ତାଳଚେରରେ ୪୨, ସୋନପୁରରେ ୪୦.୮, ବାଲେଶ୍ୱରରେ ୨୫.୭ ମିମି ବର୍ଷା ହୋଇଛି। ଯେଉଁଥିପାଇଁ ଆଜି ଦିନ ତମାମ ସହରର ଜୀବନଯାତ୍ରା ପ୍ରଭାବିତ ହୋଇଥିଲା।

ଆସନ୍ତା ୩୬ ଘଣ୍ଟା ଯାଏ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ୨୮ ତାରିଖ ସନ୍ଧ୍ୟା ମଧ୍ୟରେ ପୁରୀ, ଜଗତ୍‌ସିଂହପୁର, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼ ଓ ବୌଦ୍ଧରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ବର୍ଷା ଲାଗିରହିବା ଫଳରେ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ସୁନ୍ଦରଗଡ଼, ଗୋପାଳପୁର, ତାଳଚେର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଛି। ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୫.୭ ଡିଗ୍ରି ରହିଥିଲା। କୋରାପୁଟ ଓ ଦାରିଙ୍ଗବାଡ଼ି ତାପମାତ୍ରା ୨୩ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ଯେ ମୌସୁମୀର ପ୍ରଭାବ ଆଉ ବିଶେଷ ରହିବ ନାହିଁ। ୨୪ ଘଣ୍ଟା ପରେ ମୌସୁମୀ ଦୂର୍ବଳ ହୋଇଯିବ। ୨୯ ତାରିଖରେ ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ। ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ସେଭଳି ବର୍ଷା ହେବ ନାହିଁ। କାଁ ଭାଁ ବର୍ଷା ହୋଇପାରେ। କିନ୍ତୁ ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ସମ୍ବନ୍ଧିତ ଖବର