ଆଜିଠୁ ପ୍ରାକ୍‌ ମୌସୁମୀ ବର୍ଷା

ଭୁବନେଶ୍ୱର : ଜୁନ୍‌ ୧ ଅର୍ଥାତ୍‌ ଶୁକ୍ରବାରଠାରୁ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ସକାଳ ସମୟରୁ ହିଁ ପାଗରେ ପରିବର୍ତର୍ନ ଆସିବ। ଆକାଶ ମେଘାଚ୍ଛନ୍ନ ରହିବା ସହ ପବନର ବେଗ ବଢ଼ିବ। କେତେକ ସ୍ଥାନରେ ବର୍ଷା ହେବ। କିନ୍ତୁ ଜୁନ୍‌ ୨ ବେଳକୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଜୁନ୍‌ ୩ରେ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ବି ବର୍ଷା ଜାରି ରହିବ। ୫ ତାରିଖଠାରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶା ଭପକୂଳରେ ବର୍ଷା ଲାଗି ରହିବ। ୬ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବାର ଥିବାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀର ପ୍ରଭାବ ରହୁଛି। ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଜଗତ୍‌ସିଂହପୁର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବା ସହ ବଜ୍ରପାତର ଆଶଙ୍କା ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇ ତାରିଖ ଯାଏ ସମାନ ସ୍ଥିତି ଜାରି ରହିବ। ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ର୍ର ଅଶାନ୍ତ ରହିବ। ୪୫ରୁ ୫୫ କି.ମି. ବେଗରେ ପବନ ହୋଇପାରେ। ତେଣୁ ସମୁଦ୍ରକୁ ଯିବା ସମୟରେ ମତ୍ସ୍ୟଜୀବୀ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ରର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ପଶ୍ଚିମ ଆସାମ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ରହୁଛି। ଯାହାର ପ୍ରଭାବ ବାୟୁମଣ୍ଡଳର ଉପରି ଭାଗଠାରୁ ୯୦୦ ମିଟର ପର୍ଯ୍ୟନ୍ତ ରହୁଛି। ତାହା ପ୍ରଭାବରେ ଆଜି ଅନେକ ସ୍ଥାନରେ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓ ଉପକୂଳରେ କାଳବୈଶାଖୀର ସମ୍ଭାବନା ଅଧିକ। ଜୁନ୍‌ ୫ରୁ ବର୍ଷାର ପରିମାଣ ବଢ଼ିବ। ସେହି ସମୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହୁଥିବାରୁ ପ୍ରବଳ ବର୍ଷା ହୋଇପାରେ। ଜୁନ୍‌ ୪ରୁ ୮ ତାରିଖ ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ସେ ଆକଳନ କରିଛନ୍ତି।

ଗତ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ହୋଇଛି। କେତେକ ସ୍ଥାନରେ ବଜ୍ରପାତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଆଜି ଦିନ ସମୟରେ ମାଲକାନଗିରିରେ ସର୍ବାଧିକ ୭୨ ମି.ମି. ବର୍ଷା ହୋଇଛି। ପାଗରେ ପରିବର୍ତନ ହୋଇଥିବାରୁ ସବୁଠି ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ଟିଟିଲାଗଡ଼, ଭବାନୀପାଟଣା, ତାଳଚେର, ସୋନପୁର, ବଲାଙ୍ଗୀରରେ ତାପମାତ୍ରା ୩୫ ଡିଗ୍ରି ତଳକୁ ଆସିଛି।

ସମ୍ବନ୍ଧିତ ଖବର