ଆଣ୍ଡାମାନକୁ ମୌସୁମୀ ଛୁଇଁଲା : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ପାରାଦୀପଠାରୁ ୭୬୦ କି.ମି. ଦୂରରେ କେନ୍ଦ୍ରୀଭୂତ, ମେ’ ୨୯ରେ କେରଳ ଛୁଇଁବା ନେଇ ପୂର୍ବାନୁମାନ

ଭୁବନେଶ୍ୱର : ଆଣ୍ଡାମାନ ଛୁଇଁଛି ମୌସୁମୀ। ଗତ ମେ’ ୨୩ରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ୪୮ ଘଣ୍ଟା ବିଳମ୍ବରେ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ବଙ୍ଗୋପସାଗରରେ ପହଞ୍ଚିଥିବାରୁ ଖୁବ୍‌ଶୀଘ୍ର ତାହା କେରଳ ଉପକୂଳ ଛୁଇଁବାର ପୂର୍ବାନୁମାନ କରାଯାଇଛି। ପାଗ ଅନୁକୂଳ ରହିଥିବାରୁ ନିର୍ଧାରିତ ସମୟରେ ଅର୍ଥାତ୍‌ ୨୯ ତାରିଖରେ କେରଳରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ତାହା ଏବେ ପାରାଦୀପ ବନ୍ଦର ନିକଟରୁ ୭୬୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ-ମିଆଁମାର ଉପକୂଳ ଛୁଇଁବ। ଏହି ଘୂର୍ଣ୍ଣବଳୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଉପକୂଳବର୍ତୀ ରାଜ୍ୟଗୁଡ଼ିକୁ ଏନେଇ ପ୍ରତି ମୂହୁର୍ତ୍ତରେ ସୂଚନା ଦିଆଯାଉଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ନିକୋବରରେ ଆଜି ପହଞ୍ଚିଛି। ମୌସୁମୀ ପ୍ରବାହ ଲାଗି ପାଗ ଅନୁକୂଳ ରହିଛି। ତେଣୁ ଆସନ୍ତା ୪ ଦିନ ମଧ୍ୟରେ ମୌସୁମୀ ଆରବ ସାଗରର ଓ ବଙ୍ଗୋପସାଗରର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀ ମେ’ ୨୯ରେ କେରଳରେ ପହଞ୍ଚିବ ବୋଲି କୁହାଯାଇଥିଲା। ଆଉ ଦୁଇ ଦିନ ପରେ ଚିତ୍ର ସ୍ପଷ୍ଟ ହୋଇଯିବ ଯେ କେବେ କେରଳରେ ମୌସୁମୀ ପହଞ୍ଚିବ। ୨୮ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି। ତାହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ବାଂଲାଦେଶ ଉପରେ ତାହାର ପ୍ରଭାବ ରହିବ। ମୌସୁମୀ କେବେ ଓଡ଼ିଶାରେ ପହଞ୍ଚିବ ଏବେ କହିହେବ ନାହିଁ। କେରଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଓଡ଼ିଶା ସ୍ଥିତି ସମ୍ପର୍କରେ କୌଣସି ବି ସୂଚନା ଦେଇ ହେବନାହିଁ। ମେ’ ୩୦ କିମ୍ବା ୩୧ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ମୌସୁମୀ ଆଣ୍ଡାମାନରେ ପହଞ୍ଚିଥିବାରୁ ଏବେ ଉତ୍ତର ଓ ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ଦୁଇ ଦିନ ମଧ୍ୟରେ ଥାଇଲାଣ୍ଡ ଓ ମିଆଁମାର ଛୁଇଁବ। ଏହାପରେ ଉତ୍ତର-ପୂର୍ବ ରାଜ୍ୟକୁ ଯାଇପାରେ। ଓଡ଼ିଶାରେ ଏବେ କିଛି ପ୍ରଭାବ ନାହିଁ। ଆସନ୍ତାକାଲିଠାରୁ ତାପମାତ୍ରା ବଢ଼ିପାରେ। ଉପକୂଳବର୍ତ୍ତୀ ଅଞ୍ଚଳରେ ୨ରୁ ୩ ଡିଗ୍ରି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ୩୦ ତାରିଖ ଦିନ ବର୍ଷା ହୋଇପାରେ। ତେଣୁ ତାପମାତ୍ରା କମିବ। ତେବେ ପ୍ରାକ୍‌ ମୌସୁମୀ ବର୍ଷା କେବେ ହେବ କହିବା କଷ୍ଟକର। ମୌସୁମୀ ବାୟୁ ସ୍ଥଳ ଭାଗକୁ ଆସିଲେ କିଛି ଆକଳନ କରିହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍‌, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟ ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର