ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

ସ୍ୱାଭାବିକଠାରୁ ୧୧.୩% ଅଧିକ ବର୍ଷା, ବଜ୍ରପାତରେ ୨୬୫, ବୁଡ଼ିଗଲେ ୨୭୫, ସାପକାମୁଡ଼ାରେ ୨୬୬ ଜଣଙ୍କ ମୃତ୍ୟୁ, ବନ୍ୟା ନେଲା ୨୦ ଜଣଙ୍କ ଜୀବନ

ଭୁବନେଶ୍ୱର : ବଡ଼ ଧରଣର ବନ୍ୟା ଆସିନାହିଁ। ଭୂମିକମ୍ପ କିମ୍ବା ବାତ୍ୟା ବି ଛୁଇଁନି ଓଡ଼ିଶା। ତଥାପି ଓଡ଼ିଶା ଉପରେ ବିପର୍ଯ୍ୟୟର ବିଭୀଷିକା ରୋମ ଟାଙ୍କୁରି ଦେଲାଭଳି। ଜଣେ କି ଦୁଇଜଣ ନୁହେଁ, ଚଳିତବର୍ଷ ରାଜ୍ୟରେ ପାଖାପାଖି ୮୦୦ରୁ ଅଧିକ ଲୋକଙ୍କର ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡ ଆଦିକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ୯୦୦ ଛୁଇଁଯିବ।

ଏଭଳି ବିପର୍ଯ୍ୟୟ ସହିତ ଓଡ଼ିଶାରୁ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଭାରତର ପାଣିପାଗ ବିଭାଗ ଆଜି ବିଧିବଦ୍ଧ ଭାେବ ଏ ସଂପର୍କରେ ଘୋଷଣା କରିଛନ୍ତି। ଏକଥା ବି ପୂର୍ବାନୁମାନ କରାଯାଇଛି ଯେ ମୌସୁମୀ ଓଡ଼ିଶା ଛାଡିଥିେଲ ହେଁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି େହବ ଏବଂ ଏହା ଅଧିକ ଘନୀଭୂତ ହୋଇ ୭୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ।

ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲା। ତା ପୂର୍ବରୁ ପାଣିପାଗ ବିଜ୍ଞାନୀ ଏବର୍ଷ ପାଇଁ ସ୍ୱାଭାବିକ ବର୍ଷ ଆକଳନ କରିଥିଲେ। ସେମାନଙ୍କ ଭବିଷ୍ୟବାଣୀ ପାଖାପାଖି ସତ ହୋଇଛି। ସ୍ୱାଭାବିକ ବର୍ଷା ଠାରୁ ୧୧.୩% ଅଧିକ ବର୍ଷା ଏବର୍ଷ ଓଡ଼ିଶା ପାଇଛି। ଅର୍ଥାତ୍ ଓଡ଼ିଶାରେ ୧୧୬୨.୮ମିଲିମିଟର ବର୍ଷା ହେବା କଥା, ହୋଇଛି ୧୨୯୩.୦୯ ମିଲିମିଟର।

ମାତ୍ର ଅନିୟମିତତା ବର୍ଷାର ଗଭୀର ପ୍ରଭାବ ପଡିଛି ଓଡ଼ିଶା ଉପରେ। ରାଜ୍ୟର ୧୪ଟି ଜିଲ୍ଲା ଅନ୍ତର୍ଗତ ୩୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ବା ଅନାବୃଷ୍ଟି ହୋଇଛି ଓ ଚାଷୀ ମରୁଡିକୁ ସାମ୍ନା କରିଛନ୍ତି।

ଯଦିଓ ରାଜ୍ୟରେ ବଡ଼ ବନ୍ୟା ଆସିନାହିଁ, ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ତଥ୍ୟ ଅନୁସାେର, ଗତ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା, ରାଜ୍ୟ ଉତ୍ତର ଓ ଦକ୍ଷିଣାଞ୍ଚଳରେ ହୋଇଥିବା ବନ୍ୟାରେ ୨୦ଜଣଙ୍କର ମୃତ୍ୟୁ ହୋଇଛି। ଏବର୍ଷ ବଜ୍ରପାତରେ ୨୬୫ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ୨୭୫ଜଣ ପାଣିରେ ବୁଡି ମରିଛନ୍ତି। ୨୬୬ଜଣଙ୍କର ସାପକାମୁଡାରେ ମୃତ୍ୟୁ ହୋଇଛି। ୨୨ଜଣଙ୍କର ଅଗ୍ନିକାଣ୍ଡରେ, କୁଆପଥର ବର୍ଷା କାରଣରୁ ୧୧ଜଣ, ବୋଟ୍ ବୁଡି ୬ଜଣ ଏହିପରି ମୋଟ ୮୭୪ଜଣଙ୍କର ମୃତ୍ୟୁ ଘଟିଛି। ଇତିମଧ୍ୟରେ ରାଜ୍ୟର ଆଉ କିଛି ଜିଲ୍ଲାରେ ଶିଶୁ, ଛାତ୍ର ପ୍ରମୁଖ ପାଣିରେ ବୁଡି ମୃତ୍ୟବରଣ କରିଛନ୍ତି। ଏସବୁକୁ ମିଶାଇଲେ ଏହି ସଂଖ୍ୟା ୯୦୦ ଛୁଇଁପାରେ।

ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ମିିଳିଥିବା ତଥ୍ୟ ଅନୁସାରେ, ଏବର୍ଷ କଳାହାଣ୍ଡି ଜିଲ୍ଲା (୫୮.୪%) ରେ ସର୍ବାଧିକ ବର୍ଷା ହୋଇଛି।ଏହା ପଛକୁ ମାଲକାନଗିରି (୪୫%) ରହିଛି।ପୁରୀ, କେନ୍ଦ୍ରାପଡା, ଯାଜପୁର, ଖୋର୍ଧା, ଜଗତସିଂହପୁର, ଭଦ୍ରକ, କଟକ, କୋରାପୁଟ ଓ ରାୟଗଡ଼ାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।

ସବୁଠାରୁ ବଡ଼କଥା ହେଉଛି, ଯେଉଁ ଜିଲ୍ଲାରେ ଅତିବୃଷ୍ଟି ହୋଇଛି, ଯେଉଁଠି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି, ସେହି ଜିଲ୍ଲାର କିଛି ବ୍ଲକରେ ମଧ୍ୟ ଅନାବୃଷ୍ଟି ହୋଇଥିବା ଜଣାପଡିଛି। ଚାଷୀ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି। ଏମିତି ମିଶି ସମୁଦାୟ ୧୪ଟି ଜିଲ୍ଲାର ୩୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର