୨୦ରୁ ବିଦାୟ ନେବ ମୌସୁମୀ

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ବେଳକୁ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବ। ତା’ ପରେ ପ୍ରବେଶ କରିବ ଉତ୍ତର ପୂର୍ବ ମୌସୁମୀ। ତିତ୍‌ଲି ପରେ ସାରା ରାଜ୍ୟରେ ଶୁଖିଲା ପାଗ ଦେଖାଦେଇଛି। ଏଭଳି ପାଗ ଆହୁରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। କିନ୍ତୁ ୨୨ରୁ ୨୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବ‌େଙ୍ଗାପ ସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ। ଫଳରେ ୨୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଆଗାମୀ ୨/୩ ଦିନରେ ଚିତ୍ର ସ୍ପଷ୍ଟ ହେବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ଆସାମ ଓ ଏହ‌ାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ଅନୁଭୂତ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ କୁମାର ସାହୁ କହିଛନ୍ତି। ବରଂ ଆରବ ମହାସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶା ଆକାଶରେ ବାଦଲ ସୃଷ୍ଟି ହେବ, ଯାହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ କୁହୁଡ଼ି ଦେଖାଦେଇପାରେ।

ସମ୍ବନ୍ଧିତ ଖବର