ନିଜାମୁଦ୍ଦିନ ଯାଇଛ ଯଦି ଯାତ୍ରା ବିବରଣୀ ଦିଅ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ

କଟକ: ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ ଆହ୍ୱାନ ଦେଇଛନ୍ତି ମୋକିମ । ସେ କହିଛନ୍ତି ଯେ ନିଜାମୁଦ୍ଦିନରେ ଆୟୋଜିତ ହୋଇଥିବା ତବଲିଗି ଜମାତ କାର୍ଯ୍ୟକ୍ରମରୁ ଯଦି ଫେରିଛନ୍ତି ତେବେ ନିଜର ଯାତ୍ରା ବିବରଣୀ ପ୍ରକାଶ କରନ୍ତୁ | କରୋନା ସହ ଲଢେଇରେ ସମସ୍ତଙ୍କ ଯୋଗଦାନ ପାଇଁ ମୋକିମ ଅପିଲ କରିବା ସହ ରାଜ୍ୟ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ କଲ କରିବାକୁ ମୋକିମ କହିଛନ୍ତି | ମୋକିମଙ୍କ ସହ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମଧ୍ୟ ସମସ୍ତଙ୍କୁ ନିର୍ଭୟରେ ତଥ୍ୟ ଦେବାକୁ ଅପିଲ କରିଛନ୍ତି |


ମୋକିମ ଓ ମୁନ୍ନାଙ୍କ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ଓଡ଼ିଶାବାସୀ ଟୋଲ୍ ଫ୍ରି’ ନମ୍ବର ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେବଳ ସଚେତନତା ଦ୍ୱାରା ହିଁ, ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ, କିନ୍ତୁ ଆମକୁ ସାବଧାନ ରହିବାକୁ ହେବ ।

ନିଜାମୁଦ୍ଦିନ ଫେରନ୍ତାଙ୍କୁ ସେ ବିଶେଷ ଭାବେ ଅନୁରୋଧ କରି କହିଛନ୍ତି, ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟୋଲ୍ ଫ୍ରି’ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି । ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।

ସମ୍ବନ୍ଧିତ ଖବର