‘ମୋ ସରକାର’ରେ ପୁଣି ସାମିଲ ହେଲା ୫ଟି ବିଭାଗ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ‘ମୋ ସରକାର’ରେ ରାଜ୍ୟର ଆଉ ୫ଟି ବିଭାଗ ସାମିଲ ହୋଇଛି। ସେଗୁଡ଼ିକ ହେଲା ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଓ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ। ଏହା ପୂର୍ବରୁ ସୋମବାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଜଳସମ୍ପଦ, ମତ୍ସ୍ୟ ଓ ପଶୁ ସମ୍ପଦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସାମିଲ ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୭ଟି ବିଭାଗ ମୋ ସରକାର ଅଧିନକୁ ଆସିଛି।

ଏହି ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ କହିଥିଲେ, ‘ସରକାରୀ କର୍ମଚାରୀମାନେ ଯେଉଁ ଜନତାଙ୍କ ସେବା କରିବା ଲାଗି ନିଯୁକ୍ତ ହୋଇଛନ୍ତି, ସେମାନଙ୍କୁ ସମ୍ମାନ ଦେବା ଦରକାର। ଲୋକଙ୍କୁ ସେବା ଦେବା ଏକ ସ୍ଲୋଗାନ୍‌ ହୋଇ ରହିବା ଉଚିତ ନୁହେଁ। ସବୁ ସମୟରେ ସରକାରୀ କର୍ମଚାରୀମାନେ ଏହାକୁ କାର୍ଯ୍ୟରେ ପ୍ରତିଫଳିତ କରିବା ଦରକାର। ସବୁ ବିଭାଗ ଏହି ଆଭିମୁଖ୍ୟ ନେଇ କାମ କରିବା ଦରକାର ଯେପରି ଯେକୌଣସି କାମ ନେଇ ଯୌକେଣସି କାର୍ଯ୍ୟାଳୟକୁ ଯଦି କୌଣସି ବ୍ୟକ୍ତି ଆସନ୍ତି ତେବେ ସେ ସନ୍ତୁଷ୍ଟ ହୋଇ ଯିବା ଦରକାର। ଜଣେ ଜଣେ ସରକାରୀ କର୍ମଚାରୀ ଭାବେ ଆପଣମାନେ ଏହା ସ୍ପଷ୍ଟ ଜାଣି ରଖିବା ଦରକାର କି ମୋ ରାଜ୍ୟର ପ୍ରତିଟି ବ୍ୟକ୍ତି ଯେପରି ଏହି ସରକାରକୁ ମୋ ସରକାର ବୋଲି କହିପାରେ।’

ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର