କାହା ପାଇଁ ‘ସୌଭାଗ୍ୟ’, କାହା ପାଇଁ ଦୁର୍ଭାଗ୍ୟ : ଆବେଦନ ୧୩ ହଜାର, ବିଜୁଳି ମିଳିଲା ୨୮ଶହଙ୍କୁ

0 410

କଟକ : ୨୦୧୮, ଡିସେମ୍ବର ସୁଦ୍ଧା ସମସ୍ତଙ୍କ ଘରେ ପହଞ୍ଚିବ ବିଜୁଳି। ହିତାଧିକାରୀଙ୍କୁ ମିଳିବ ମାଗଣାରେ ବିଦ୍ୟୁତ୍‌ ସେବା। କେନ୍ଦ୍ର ସରକାର ଏଥିପାଇଁ ୨୦୧୭, ସେପ୍ଟେମ୍ବରରେ ‘ସୌଭାଗ୍ୟ’ ଯୋଜନା ଘୋଷଣା କଲେ। ତଦନୁଯାୟୀ, ହିତାଧିକାରୀ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କଲେ। କିନ୍ତୁ ଏବେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ୨୫ପ୍ରତିଶତରୁ ବି କମ୍‌ ହିତାଧିକାରୀଙ୍କୁ ମିଳିଛି ମାଗଣା ବିଜୁଳି ସେବା। ବଳକା ଅଶି ପ୍ରତିଶତ ହିତାଧିକାରୀଙ୍କ ପାଇଁ ଏବେବି ବିଜୁଳି ଆଲୁଅ ସ୍ୱପ୍ନ ହୋଇ ରହିଛି। ନିୟମର ବିଭିନ୍ନ ଆଳ ଦେଖାଇ ସେସୁ କର୍ତ୍ତୃପକ୍ଷ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଦେଉନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ହାତରେ ଆଉ ସାଢ଼େ ୪ ମାସରୁ କମ୍‌ ସମୟ ଥିବା ବେଳେ ଏହି ଅବଧି ଭିତରେ ଆବେଦନକାରୀ ଅଶି ପ୍ରତିଶତ ହିତାଧିକାରୀଙ୍କ ଘରେ କିଭଳି ବିଜୁଳି ସେବା ପହଞ୍ଚିବ, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି।

ସୂଚନାନୁଯାୟୀ, ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା। ଏହି ଯୋଜନାରେ ଯେଉଁ ହିତାଧିକାରୀ ବିଜୁଳି ସେବା ପାଇବାରୁ ବଂଚିତ ହୋଇଛନ୍ତି, ସେମାନଙ୍କ ଘରେ ମାଗଣାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ନିୟମ ରହିଛି। ନିୟମ ଅନୁଯାୟୀ, ବିପିଏଲ୍‌ ହିତାଧିକାରୀଙ୍କୁ ସଂପୂର୍ଣ୍ଣ ମାଗଣା ଏବଂ ଏପିଏଲ୍‌ ପରିବାରକୁ ବିଜୁଳି ସଂଯୋଗ ପାଇଁ ୫୦୦ଟଙ୍କା ଦେବାକୁ ପଡୁଛି। ଏହି କ୍ରମରେ କଟକ ସହରରେ ପ୍ରାୟ ୧୩ ହଜାରରୁ ଅଧିକ ହିତାଧିକାରୀ ମାଗଣା ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ। ମାତ୍ର ଯୋଜନାକୁ ବର୍ଷେ ପୂରିବାକୁ ଆଉ କିଛି ଦିନ ବାକି ଥିବା ବେଳେ ଅଦ୍ୟାବଧି ମାତ୍ର ୨୭୫୯ ହିତାଧିକାରୀ ସୌଭାଗ୍ୟ ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଦ୍ୟୁତ ସଂଯୋଗ ପାଇଁ ଆଧାରକାର୍ଡ ଏବଂ ଫଟୋ ବାଧ୍ୟତାମୂଳକ ଥିବାବେଳେ ଏଥିଲାଗି ସ୍ଥାନୀୟ କର୍ପୋରେଟରଙ୍କ ସୁପାରିସ ଆବଶ୍ୟକ। କିନ୍ତୁ ଅନେକ କ୍ଷେତ୍ରରେ ସମସ୍ତ କାଗଜପତ୍ର ପୈଠ ସତ୍ତ୍ୱେ ହିତାଧିକାରୀଙ୍କୁ ଲାଇନ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି, ଯୌଥ ପରିବାରରେ ରହିଥିବା ହିତାଧିକାରୀ ମାନେ ବି ନିୟମ ଯୋଗୁ ପ୍ରବଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପ୍ଲଟ୍‌ରେ ଗୋଟିଏ ପରିବାରକୁ ହିଁ ବିଜୁଳି ସଂଯୋଗ ଦିଆଯିବାର ନିୟମ ଥିବାରୁ ଯଦି ସେଠାରେ ପୂର୍ବରୁ ଗୋଟିଏ ଭାଇର ବିଜୁଳି ସଂଯୋଗ ଥିବ, ତେବେ ଅନ୍ୟ ଭାଇକୁ ସୌଭାଗ୍ୟ ଯୋଜନାରେ ବଞ୍ଚିତ ହେବାକୁ ପଡ଼ୁଛି। ଅନୁରୂପ ଭାବେ ଭଡ଼ା ଘର ଅଥବା ବିଜୁଳି ଦେୟ ବକେୟା ଥିଲେ ଏ ଯୋଜନାରେ ହିତାଧିକାରୀଙ୍କୁ ସାମିଲ୍‌ କରାଯାଉନାହିଁ। ତା’ଛଡ଼ା ବିଭିନ୍ନ ସମୟରେ ବିଜୁଳି ସଂଯୋଗ ପାଇଁ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହେଉଛି।

କିନ୍ତୁ ଏଭଳି ଅର୍ଥ ଦାବି ଅଭିଯୋଗକୁ ରାଣୀହାଟ ସେସୁ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଦୀପକ ରାଉତ ଖଣ୍ଡନ କରିଛନ୍ତି। କହିଛନ୍ତି, ହିତାଧିକାରୀ ଚୟନରେ ବିଳମ୍ବ ହେଉଛି। ଏବେ ଦୁଇ ଶହ ହିତାଧିକାରୀଙ୍କୁ ସୌଭାଗ୍ୟ ଯୋଜନାରେ ବିଜୁଳି ଦେବା ପାଇଁ ବ୍ୟବସ୍ଥା ହୋଇଛି। ମୁଖ୍ୟତଃ ହିତଧିକାରୀର ପୃଷ୍ଠଭୂମିକୁ ଭଲ ଭାବେ ଯାଞ୍ଚ୍‌ କରାଯାଇ ସିଏ ଯୋଗ୍ୟ ବିବେଚିତ ହେବା ପରେ ଯାଇ ବିଜୁଳି ସଂଯୋଗ ଦିଆଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.