ବିଧାୟକମାନଙ୍କୁ କ’ଣ ହୋଇଛି? : ଦିନକୁ ଦିନ ବିଧାନସଭାରେ ଉପସ୍ଥାନ କମୁଛି

କମିଟି ବୈଠକରେ ବି ଅନୁପସ୍ଥିତ ରହୁଛନ୍ତି, କମ୍‌ ସମୟରେ ପାରିତ ହୋଇଯାଉଛି ବିଲ୍‌

ଭୁବନେଶ୍ୱର : ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଉଛି ମୁଲତବୀ ପ୍ରସ୍ତାବ। ଅପରାହ୍ନ ଗୋଟାଏ ବଦଳରେ ଅନେକ ଦିନ ଖାଇବା ଛୁଟି ହେଉଛି ଅପରାହ୍ନ ତିନିଟାରେ। କିନ୍ତୁ ଯେଉଁଟି ମୁଖ୍ୟ କାର୍ଯ୍ୟ, ତା ପାଇଁ କାହାର ନିଘା ନାହିଁ। କେଇ ମିନିଟ୍‌ ମଧ୍ୟରେ ଏକାଧିକ ବିଲ୍‌ ଅନୁମୋଦନ ଲାଭ କରିଛି ବିଧାନସଭାରେ। ଏମିତିକି ବିରୋଧୀ ଦଳ ବିଧାୟକଙ୍କ ଅନୁପସ୍ଥିତିରେ ବି ବିଲ୍‌ ଅନୁମୋଦନ ଲାଭ କରିବାର ନଜିର୍‌ ରହିଛି।

ଚାଷୀ ପ୍ରସଙ୍ଗ ହେଉ କି ଆଇନଶୃଙ୍ଖଳା। ବଜେଟ୍‌ ଅଧିବେଶନରେ ଖର୍ଚ୍ଚ ଦାବି ଆଲୋଚନା ହେଉ ଅଥବା ମୁଲତବୀ ପ୍ରସ୍ତାବ। ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ କୋରମ ଅଭାବ ହେବା ଘଟଣା ବାରମ୍ବାର ଚର୍ଚ୍ଚାକୁ ଆସୁଛି।

ଏସବୁ କ୍ଷେତ୍ରରେ ସୁଧାର ନ ଆସୁଣୁ, ଏବେ ଆଉ ଏକ ତଥ୍ୟ ବିତର୍କର ବିଷୟ ହୋଇଛି। ବିଧାନସଭାର ବିଭିନ୍ନ କମିଟିକୁ ମନୋନୀତ ହେଉଥିବା ବିଧାୟକମାନେ ଏବେ ସେସବୁ ବୈଠକକୁ ଆସିବା ଛାଡି ଦେଲେଣି। ଗତକାଲି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକରେ ବିଧାୟକମାନଙ୍କର ଉପସ୍ଥାନ ପରେ ଏ ସଂକ୍ରାନ୍ତରେ ବିଭିନ୍ନ ମହଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୀମା ବିବାଦ ସଂକ୍ରାନ୍ତ ଗୃହ କମିଟି ବୈଠକରେ ୩୩ ଜଣ ସଭ୍ୟ ରହିବା କଥା। ମାତ୍ର ୧୨ ଜଣ ଉପସ୍ଥିତ ଥିଲେ। ଶକ୍ତି ବିଭାଗ ସଂପର୍କିତ ବିଧାନସଭା ଗୃହ କମିଟି ବି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା। ମୋଟ ୪୨ ଜଣ ବିଧାୟକ ଏଥିରେ ସଭ୍ୟ ଅଛନ୍ତି। ନିୟମ ଅନୁସାରେ ଅତିକମ୍‌ରେ ୧୪ ଜଣ ସଭ୍ୟ ରହିଲେ, କୋରମ୍‌ ହେବ। ଏହି ବୈଠକରେ ଗତକାଲି ସେତିକି ସଭ୍ୟ ଥିଲେ। ଅର୍ଥାତ୍‌ ୧୪ଜଣ ସଭ୍ୟ ଉପସ୍ଥିତ ଥିଲେ ଓ ବାକି ୨୮ ଜଣ ସଭ୍ୟଙ୍କର ଦେଖା ମିଳିନଥିଲା। ଏହି ଘଟଣାରେ ବାଚସ୍ପତି ଗତକାଲି ତୀବ୍ର
ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷକରି ମନ୍ତ୍ରୀମାନଙ୍କର ଅନୁପସ୍ଥିତି ସମସ୍ତଙ୍କୁ ବିସ୍ମିତ କରିଛି। ଯେଉଁ ବିଧାନସଭାକୁ ଜିତି ଆସିବା ଲାଗି ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି, ଥରେ ଜିତି ଆସିବା ପରେ ସେହି ବିଧାନସଭା ବା ସାମ୍ବିଧାନିକ କାର୍ଯ୍ୟ ପାଇଁ ଏତେ ଅନାଗ୍ରହ କାହିଁକି ପ୍ରଦର୍ଶନ କରୁଛନ୍ତି? ଏମିତି ଏକ ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କରୁଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି, ଧୀରେ ଧୀରେ ବିଧାନସଭା ବା ବୈଧାନିକ କାର୍ଯ୍ୟ ପାଇଁ ବିଧାୟକଙ୍କ ଉତ୍ସାହ କମିଯିବା ଭଳି ମନେ ହେଉଛି। ଅନ୍ୟଥା ବିଧାନସଭାରେ ବାରମ୍ବାର କୋରମ୍‌ ଅଭାବ ଅନୁଭୂତ ହୁଅନ୍ତା ନାହିଁ। ସରକାରୀ ଦଳର ୧୧୭ ବିଧାୟକ ଅଛନ୍ତି। ସେମାନଙ୍କର ମଧ୍ୟ ୧୫ଜଣ, ୧୨ ଜଣ ସଭ୍ୟ ରହୁନାହାନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ଅନେକ ଗୃହରେ ଉପସ୍ଥିତ ରହିଲେ ବି ଆଲୋଚନାରେ ଭାଗ ନେଉନାହାନ୍ତି। ଯେଉଁମାନେ ଭାଗ ନେଉଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସମ୍ପୃକ୍ତ ବିଷୟ ଉପରେ କିଛି କହୁନାହାନ୍ତି। ଯେହେତୁ ଆଜିକାଲି ରାଜନୀତିକୁ ନିର୍ଦିଷ୍ଟ ଆଦର୍ଶ ରଖି ଖୁବ୍‌ କମ୍‌ ନେତା ଆସୁଛନ୍ତି, ଏଣୁ ବୋଧହୁଏ ଏଭଳି ସ୍ଥିତି ଉପୁଜିଛି।

କମିଟି ସଂପର୍କରେ ମତ ରଖି ବିରୋଧୀ ଦଳ ନେତା କହିଛନ୍ତି, ପବ୍ଲିକ ଆକାଉଣ୍ଟସ୍‌ କମିଟି ହେଉ କି ପବ୍ଲିକ ଅଣ୍ଡରଟେକିଙ୍ଗ୍‌ କମିଟି, ଅଥବା ବିଭାଗୀୟ ସ୍ଥାୟୀ କମିଟି। ଏଗୁଡିକର କ୍ଷମତା କିଛି କମ୍‌ ନାହିଁ। ହେଲେ ଏସବୁ କମିଟିରେ ମଧ୍ୟ ଅନେକ ସମୟରେ କୋରମ୍‌ ଅଭାବ ହେଲାଣି। ଯଦି ଗୃହର ନେତା ଉପସ୍ଥିତ ରହିବେନି, ତେବେ ଅନ୍ୟମାନଙ୍କୁ କ’ଣ କୁହାଯିବ?

ସେହିଭଳି ବିଲ୍‌ ଆଲୋଚନା କମ୍‌ ହେଉଥିବାରୁ ବାରମ୍ବାର ସରକାର କୋର୍ଟରେ ଅପଦସ୍ଥ ହେଉଛନ୍ତି। ବିଲ୍‌ ରଦ୍ଦ ହୋଇଯାଇଛି। ଯଦି ବିଲ୍‌ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୁଅନ୍ତା, ତେବେ କୋର୍ଟରେ ସେସବୁ ବିଲ୍‌କୁ କେହି ଚ୍ୟାଲେଞ୍ଜ କରିପାରନ୍ତେ ନାହିଁ।

ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବିଧାୟକମାନଙ୍କ ଉପସ୍ଥାନ ଆଗରୁ ଯେତିକି ଥିଲା, ଏବେ ଟିକିଏ କମିଛି। କାରଣ, ଏବର୍ଷ ନିର୍ବାଚନ ବର୍ଷ। ଏଣୁ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବ୍ୟସ୍ତ ଥିବା କାରଣରୁ ସମ୍ଭବତଃ କମିଟିରେ ଉପସ୍ଥିତ ରହିପାରିନାହାନ୍ତି।

ଶ୍ରୀ ଶତପଥୀ କହିଛନ୍ତି, ବିଧାୟକମାନେ ନିଜ ଦାୟିତ୍ୱ ସଠିକ୍‌ ଭାବେ ସଂପାଦନ କଲେ ହିଁ ଯାଇ ଗଣତନ୍ତ୍ର ସଫଳ ହୋଇପାରିବ। ତେବେ ଏଥିପାଇଁ ଅନୁଶାସନ ବିଶେଷ କିଛି ଆବଶ୍ୟକ ରଖେନି, ବରଂ ବିଧାୟକମାନଙ୍କର ନିଜର ଆଗ୍ରହ ରହିବା ଦରକାର। ସେମାନଙ୍କ ଉତ୍ସାହ ହି ଁ ବିଧାନସଭାର ଗରିମା ବଢାଇବାରେ ସାହାଯ୍ୟ କରିବ।

ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଏ ସଂପର୍କରେ କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା। ଯେଉଁଥିପାଇଁ ବିଧାନସଭା ରହିଛି, ବିଧାୟକମାନେ ସଠିକ୍‌ ଭାବେ ତାହା ବୁଝି ଗୃହ କାର୍ଯ୍ୟରେ ଭାଗ ନେବା କଥା। ଅନେକ ସମୟରେ ଏକଥା ବି ଦେଖାଯାଉଛି ଯେ ବିଧାନସଭା ଚାଲୁନି, ଚାଲିଲେ ବି ସଦସ୍ୟମାନେ ଉପସ୍ଥିତ ରହୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କମିଟିରେ ହାଜିରା ପକାଇ, ଭତ୍ତା ନେଉଛନ୍ତି। ମାତ୍ର କମିଟି ରିପୋର୍ଟ ଯଥା ସମୟରେ ପ୍ରକାଶିତ ହେଉନାହିଁ। ଏହା ଉଚିତ୍‌ ନୁହେଁ। ସବୁଠାରୁ ବଡ଼ କଥା ହେଲା, ବିଧାନସଭାରେ ବିଧାୟକମାନଙ୍କୁ ଗୃହ ପରିଚାଳନାରେ ଅଂଶୀଦାର କରିବା ଭଳି କୌଣସି ଉଦ୍ୟମ ହେଲା ଭଳି ଲାଗୁନାହିଁ।

ଉଲ୍ଲେଖଥାଉକି, ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ, ବର୍ଷକୁ ୬୦ ଦିନ ବୈଠକ ବସିବା କଥା। ମାତ୍ର ଫି ବର୍ଷ ଏତିକି ଦିନ ବି ବୈଠକ ବସିପାରୁନାହିଁ। ଯେତିକି ଦିନ ବୈଠକ ବସୁଛି, ସେଥିରେ ବି ପ୍ରଥମାର୍ଧରେ ଯେତିକି ବିଧାୟକ ଉପସ୍ଥିତ ରହୁଛନ୍ତି, ଅପରାହ୍ନରେ ତାର ବିପରୀତ ସ୍ଥିତି ଉପୁଜୁଛି। ଅତୀତରେ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ବେଳେ ଏ ନେଇ ଭିନ୍ନ ଏକ ପରମ୍ପରା ଆରମ୍ଭ କରିଥିଲେ। ଯେଉଁ ବିଧାୟକମାନେ ଅପରାହ୍ନରେ ରହୁନଥିଲେ, ସେମାନଙ୍କୁ ତା’ ପରଦିନ ପ୍ରଶ୍ନୋତ୍ତର କାଳରେ କମ୍‌ ସୁଯୋଗ ମିଳୁଥିଲା।

ଏବେ କିନ୍ତୁ ବିଧାୟକଙ୍କ ଅନୁପସ୍ଥିତି ବାରମ୍ବାର ଚର୍ଚ୍ଚାକୁ ଆସିଲାଣି। ବିଧାନସଭାରେ ଯେତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉନା କାହିଁକି, ସେଥିରେ ବିଧାୟକମାନଙ୍କର ଉପସ୍ଥାନ ନଗଣ୍ୟ ରହୁଛି। ଏପରିକି ବଜେଟ୍‌ ଅଧିବେଶନ କାଳରେ ମଧ୍ୟ ଖର୍ଚ୍ଚ ଦାବି ଆଲୋଚନାରେ ଉପସ୍ଥାନ କମ୍‌ ରହୁଛି।

ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଥର ଉପସ୍ଥାନ ନେଇ ନିଜର ଦଳର ନେତାଙ୍କୁ ତାଗିଦ୍‌ କରୁଛନ୍ତି। ବିଧାୟକମାନେ ଯେମିତି ହେଲେ ବି ଗୃହରେ ଉପସ୍ଥିତ ରହିବା ଲାଗି କୁହାଯାଉଛି। ମୁଖ୍ୟ ଛାଟିଆ ବା ମୁଖ୍ୟ ସଚେତକ ହ୍ଵିପ୍‌ ବି ଜାରି କରୁଛନ୍ତି। ମାତ୍ର ଏହାର ପ୍ରଭାବ ସେଭଳି ପଡୁନାହିଁ, ଯେମିତି ରାଜ୍ୟବାସୀ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର