ସାରା ଦେଶକୁ ଛୁଇଁଲା ମୌସୁମୀ : ଜୁଲାଇ ୩ ପରେ ବଢ଼ିବ ବର୍ଷା 

ଭୁବନେଶ୍ୱର : ଜୁଲାଇ ୩ ଯାଏ ପାଗ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବଢ଼ିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରି ଟପିବାର ସମ୍ଭାବନା ରହିଛି। ୩ ତାରିଖ ଅପରାହ୍ନଠାରୁ ପାଗରେ ପୁଣିଥରେ ପରବର୍ତନ ଆସିବ। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ସାରା ଦେଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗୋଟିଏ ମାସ ମଧ୍ୟରେ ସବୁ ରାଜ୍ୟରେ ପହଞ୍ଚିଛି। ଜୁନ୍‌ ମାସରେ ଦେଶର ୬ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅଧିକାଂଶ ରାଜ୍ୟରେ ସ୍ୱାଭାବିକ ଓ ଅଳ୍ପ କେତେକ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଜୁଲାଇ ୧ ଓ ୨ ତାରିଖରେ ହିମାଳୟ ଓ ଏହାର ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ମଧ୍ୟ ଭାରତରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି , ଜୁଲାଇ ୩ ପରେ ପାଗରେ କିଛିଟା ପରିବର୍ତନ ହେବ। ୭ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢ଼ିବ। କିନ୍ତୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ଜୁନ୍‌ ୨୯ରୁ ଜୁଲାଇ ୨ ମଧ୍ୟରେ କିଛି ସ୍ଥାନରେ ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। ଏହି ସମୟରେ ପାଗ ମୁଖ୍ୟତଃ ଖରାଟିଆ ରହିବ। ଏବେ ଲଘୁଚାପ କି ଘୂର୍ଣ୍ଣିବଳୟର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟାରେ ବର୍ଷାର ପରିମାଣ କମିଛି। ଅନୁଗୁଳରେ ସର୍ବାଧିକ ୨୬ ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୨, ସୋନପୁରରେ ୪, ତାଳଚେରରେ ୨, ମାଲକାନଗିରି, ଢେଙ୍କାନାଳ, ଚାନ୍ଦବାଲି, ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ତାପମାତ୍ରା କିନ୍ତୁ ବଢ଼ିଛି। ଟିଟିଲାଗଡ଼ର ତାପମାତ୍ରା ପୁଣିଥରେ ୩୬ ଡିଗ୍ରିରେ ପହଞ୍ଚିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। ଆଗକୁ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର