କେନ୍ଦୁଝର ସୀମାନ୍ତରେ ୧୫୦ ହାତୀ

କେନ୍ଦୁଝର/ଚମ୍ପୁଆ : କେନ୍ଦୁଝର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୧୫୦ରୁ ଅଧିକ ହାତୀ ଥିବା ଖବର ମିଳିବା ପରେ ଆଜି ଚମ୍ପୁଆ, ପାଟଣା ଓ ବଡ଼ବିଲ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ବଣୁଆ ହାତୀପଲଙ୍କୁ ନିରାପଦ ଦୂରରେ ରଖିବା ଲାଗି ବନ ବିଭାଗ ୭୦ଟି ହାତୀ ସ୍କ୍ଵାଡ୍‌କୁ ନିୟୋଜିତ ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଦେଇ କେନ୍ଦୁଝର ଜିଲ୍ଲାକୁ ପଶିବାକୁ ଉଦ୍ୟମ କରୁଥିବା ଏହି ହାତୀପଲ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଗତିପଥ ବଦଳାଇ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଭିମୁଖେ ଯାଇଥିବା କେନ୍ଦୁଝର ଡିଏଫ୍‌ଓ ରୋହିତ କୁମାର ଲେଙ୍କା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପତଳା ଅଞ୍ଚଳରେ ୨୨ଟି ହାତୀ ଗତ କିଛି ଦିନ ହେଲା ଭୀଷଣ ଉତ୍ପାତ ଚଳାଇଛନ୍ତି। ହାତୀପଲ ସଂପୃକ୍ତ ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହିିତ ଧାନଫସଲ ଦଳିଚକଟି ନଷ୍ଟ କରିବାରେ ଲାଗିଛନ୍ତି। ହାତୀପଲଙ୍କ ଉପଦ୍ରବ ଯୋଗୁ ଜ୍ୟୋତିପୁର, ପାରୁଡ଼ିପଶି, ମଙ୍ଗଳପୁର, ବଳଭଦ୍ରପୁର, କାଟପାଟୁଳି, ପତଳା, ରଜିଆ ଓ ଦୋଳିତା ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବଣୁଆ ହାତୀଙ୍କ ଆକ୍ରମଣରେ ବର୍ଷକ ମଧ୍ୟରେ ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ୮୦ ଏକର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୩୨ଟି ଘର ଭାଙ୍ଗିଛି।

ସେହିପରି କେନ୍ଦୁଝର ସଦର ବ୍ଲକରେ ୩୬ଟି, ତେଲକୋଇରେ ୨୧ଟି, ଭୂୟାଁଜୁଆଙ୍ଗ ପୀଢ଼ ରେଞ୍ଜ୍‌ ଅଞ୍ଚଳରେ ୧୧ଟି ଏବଂ ଘଟଗାଁ ବନାଞ୍ଚଳରେ ୯ଟି ହାତୀ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇ ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ଜିଲ୍ଲା ଭିତରେ ଏହି ୯୯ଟି ହାତୀ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୫୦ଟି ହାତୀ ଚମ୍ପୁଆର କେଶରୀକୁଣ୍ଡ ଦେଇ କେନ୍ଦୁଝର ଜିଲ୍ଲାକୁ ପଶିବା ଲାଗି ଉଦ୍ୟମ କରୁଥିବା ଖବର ପ୍ରଚାରିତ ହେବା ପରେ ଜନସାଧାରଣରେ ଆତଙ୍କ ଖେଳି ଯାଇଥିଲା।

କେନ୍ଦୁଝର ଡିଏଫ୍‌ଓ ରୋହିତ ଲେଙ୍କାଙ୍କ ସୂଚନା ଅନୁସାରେ, ସୀମାନ୍ତରେ ୧୫୦ରୁ ଅଧିକ ହାତୀପଲ ରହିଥିବା ଖବର ମିଳିବା ପରେ ବଡ଼ବିଲ, ଚମ୍ପୁଆ ଏବଂ ପାଟଣା ରେଞ୍ଜ୍‌ ଅଧୀନରେ ଥିବା ସମସ୍ତ ହାତୀ ସ୍କ୍ଵାଡ୍‌ମାନଙ୍କୁ ସତର୍କ ରଖାଯାଇଛି। ୭୦ ଜଣ ହାତୀ ସ୍କ୍ଵାଡ୍‌ ସଦସ୍ୟଙ୍କୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ନିୟୋଜିତ କରାଯାଇଛି। ତେବେ ଅପରାହ୍ନ ୨ଟା ବେଳେ ଏହି ହାତୀପଲ ଗତିପଥ ବଦଳାଇ ବାଦାମପାହାଡ ଅଭିମୁଖେ ଯାଇଥିବା ଡିଏଫ୍‌ଓ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର