ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି | ଗୃହରେ ରଖାଯାଇଥିବା ଉତ୍ତରରେ କୁହାଯାଇଛି ଯେ ଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ଖୋଜିବାକୁ ପ୍ରଥମେ ୩ ମାସ ପାଇଁ କମିଶନ ବସାଯାଇଥିଲା । ପରେ କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା ।

ଏହି ଅବଧି ଭିତରେ କମିଶନ ତଦନ୍ତ ସାରି ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରି ସାରିଛନ୍ତି । ହେଲେ ଏହି ରିପୋର୍ଟକୁ ରାଜ୍ୟ ସରକାର ଅନୁଧ୍ୟାନ କହୁଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି । ବଡ କଥା ହେଉଛି, ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ ହଟଚମଟ ହେବା ପରେ ଜଷ୍ଟିସ ରଘୁବୀର ଦାସଙ୍କ ଅଧୀନରେ କମିଶନ ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୪ ତାରିଖରେ ତଦନ୍ତ ପାଇଁ ଘୋଷଣା କରିଥିଲେ । ସମସ୍ତ ଦିଗକୁ ଅନୁଧ୍ୟାନ କରି କମିଶନ ତାଙ୍କ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ସରକାର ଏହା ଉପରେ କୈାଣସି ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି । କାହିଁକି ଓ କିଏ ହଜାଇଥିଲା ରତ୍ନଭଣ୍ଡାର ଚାବି, ତାହା ଆଜିସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଜାଣନ୍ତୁ ଘଟଣାକ୍ରମ
ଏପ୍ରିଲ ୪, ୨୦୧୮ରେ ମନ୍ଦିରର ପରିଚାଳନା କମିଟି ବୈଠକରେ ପ୍ରଥମେ ଭିତର ରତ୍ନଭଣ୍ଡାରର ଚାବି ହଜିଥିବା କଥା ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ ଜଣାଇଥିଲେ | ଏହା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା | ବାରମ୍ବାର ଖୋଜିବା ସତ୍ୱେ ମଧ୍ୟ ଚାବି ମିଳୁନଥିବା ସେ ବୈଠକରେ ଉଲ୍ଲେଖ କରିଥିଲେ । ଏହି ବିବରଣୀ ଗଣମାଧ୍ୟମରେ ଆସିବା ପରେ ବିବାଦ ଆଗକୁ ବଢିଥିଲା । ତେବେ ଏହାର ପାଖାପାଖି ୨ ମାସ ପରେ ଜିଲ୍ଲାର ରେକର୍ଡ ରୁମରେ ଥିବା ଷ୍ଟ୍ରଙ୍ଗ ବକ୍ସରୁ କିଛି ଚାବି ଥିବା ଏକ ଗୁନ୍ଥା ମିଳିଥିଲା । ସେହି ସମୟରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ ଚାବିଗୁଡିକ ଏକ ବନ୍ଦ ଥିବା ଲଫାପାରୁ ମିଳିଥିଲା ।

ସେହି ଭିତରେ ଏକ ଚାବିରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଟ୍ୟାଗ ଲାଗିଥିବା ଏକ ଚାବି ରହିଥିବା ଦେଖିବାକୁ ମିଳିଥିଲା । ୧୯୮୫ ମସିହାରେ ବଳଭଦ୍ରଙ୍କର ଅଳଙ୍କାର ପାଇଁ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଆଉ ସେବେଠାରୁ ପୁରୀର ଅନେକ ଜିଲ୍ଲାପାଳ ବଦଳିଥିଲେ ମଧ୍ୟ ସେମାନେ ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇନଥିଲେ । ଜିଲ୍ଲା ଟ୍ରେଜେରୀରେ ରହିବାକୁ ଥିବା ଏହି ଚାବି ପ୍ରତି କୌଣସି ବି ଜିଲ୍ଲାପାଳ ଧ୍ୟାନ ଦେଇନଥିବା ସେହି ସମୟରେ ଅଭିଯୋଗ ହୋଇଥିଲା । ତେବେ ସମସ୍ତ ଦିଗକୁ ଅନୁଧ୍ୟାନ କରି କଣ ରିପୋର୍ଟ ଦେଇଛନ୍ତି କମିଶନ, ତାହା ଏବେ ବି ଅନ୍ଧାର ଭିତରେ ରହିଛି ।

ସମ୍ବନ୍ଧିତ ଖବର