ଅଜଣା ଶବକୁ ଅସମ୍ମାନ : ଅନ୍ତିମ ସଂସ୍କାର ବେଳକୁ ଗନ୍ଧରେ ଫାଟି ପଡ଼ୁଛି ଫ୍ରିଜର

ସମ୍ବଲପୁର : ଶବକୁ ଅସମ୍ମାନ। ସମ୍ମାନର ସହିତ ଏହାକୁ ସଂରକ୍ଷିତ ରଖିବା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ-ଗବେଷଣା ପ୍ରତିଷ୍ଠାନ(ଭିମସାର)ରେ ପୃଥକ୍‌ ଭାବରେ ଫ୍ରିଜର ବ୍ୟବସ୍ଥା ରହିଛି। ପ୍ରାୟ ୮ ମାସରୁ ଉର୍ଧ୍ବ ସମୟ ହେଲା ଭିମସାରର ଫ୍ରିଜର ଅଚଳ ହୋଇଥିଲା। ପ୍ରାୟ ଏକ ମାସ ପୂର୍ବରୁ ଫ୍ରିଜର ଆସିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଫଳରେ, ସାଧାରଣ ତାପମାତ୍ରାରେ ମରଶରୀରକୁ ତଳେ ପକାଇ ଦିଆଯାଉଥିବାରୁ ଏଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଅଜଣା ବ୍ୟକ୍ତିଙ୍କ ମରଶରୀରକୁ ଏଫଏମଟି ଏବଂ ଆନାଟୋମିରେ ସ୍ଥିତ ଶବ ପାଇଁ ସଂରକ୍ଷିତ ଫ୍ରିଜରରେ ରଖାଯାଏ। ଫ୍ରିଜର ଅଭାବ ଯୋଗୁଁ ଅନେକ ଅଜଣା ବ୍ୟକ୍ତିଙ୍କ ମରଶରୀରକୁ ନିୟମ ଦୃଷ୍ଟିରୁ ୪ ଦିନ ରଖାନଯାଇ ତରବରିଆ ଭାବରେ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତରିତ କରାଯାଉଛି। ସ୍ବେଚ୍ଛାସେବୀ ସଂଗଠନ ସମ୍ବଳର ସୁବ୍ରତ ପଣ୍ଡା କହିଛନ୍ତି, ଭିମସାରକୁ ଯେତେ ସଂଖ୍ୟକ ମରଶରୀର ଆସି ପହଞ୍ଚୁଛି ଏହାକୁ ରଖିବା ପାଇଁ ଆନାଟୋମିରେ ଅନ୍ୟୂନ ୮ଟି ଫ୍ରିଜର ଆବଶ୍ୟକତା ନେଇ ଭିମସାର ଡିନଙ୍କୁ ଜଣାଇଥିଲେ। ମାତ୍ର ନୂଆ ଫ୍ରିଜର ତ ଆସିଲା ନାହିଁ ପୁରୁଣା ଫ୍ରିଜର୍‌ ମଧ୍ୟ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭିମ୍‌ସାର ଡିନ ବ୍ରଜ ମୋହନ ମିଶ୍ର କହିଛନ୍ତି ଯେ, ଭିମ୍‌ସାରରେ ଅଜଣା ଶବ ରଖିବା ପାଇଁ ଆନାଟୋମି ଏବଂ ଏଫଏମଟିରେ ଫ୍ରିଜର ରଖାଯାଉଛି। ଏଥିସହିତ ଡାକ୍ତରଖାନାରେ ଫ୍ରିଜର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ୨ଟି ଫ୍ରିଜର୍‌ ଆସି ସାରିଛି। ମାତ୍ର କମ୍ପାନି ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ।

ସମ୍ବନ୍ଧିତ ଖବର